କରମଣ୍ଡଳ କୁହୁକ: ଉଡ଼ିଆସିଲେ ପ୍ରଧାନମନ୍ତ୍ରୀ ମୋଦୀ!

ଭୁବନେଶ୍ୱର: କରମଣ୍ଡଳକୁ ଅଶେଷ ଧନ୍ୟବାଦ । ରାଜ୍ୟରେ ସାତୋଟି ଉପନିର୍ବାଚନ ହୋଇଗଲା, ଗୋଟିଏ ବି ଉପ ନିର୍ବାଚନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶାକୁ ଟାଣି ଆଣି ପାରି ନଥିଲା । ମାତ୍ର କରମଣ୍ଡଳ ଟ୍ରେନ୍‌ ଏମିତି କାଣ୍ଡ କଲା ଯେ ମୋଦିଙ୍କ ଆସନ ଟଳମଳ ହେଲା । ବାହାନଗା ଉଡ଼ି ଆସିବାକୁ ବାଧ୍ୟ ହେଲେ ମୋଦି। ନିଜ କ୍ୟାବିନେଟର ଏକାଧିକ ମନ୍ତ୍ରୀଙ୍କୁ ବାହାନଗା ପଠାଇଲେ ମାତ୍ର ସେମାନଙ୍କ ଭିତରୁ କାହା ଉପରେ ଭରସା ରଖି ପାରିଲେନି, ଉଡ଼ିଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବାହାନଗା ଟ୍ରେନ୍‌ ଦୁର୍ଘଟଣା ଖବର କାନରେ ପଡ଼ିବା କ୍ଷଣି ମୋଦି ସ୍ଥିତି ଅନୁଧ୍ୟାନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାକୁ ପଠାଇଦେଲେ । ମାତ୍ର ଯେତେବେଳେ ଜାଣିବାକୁ ପାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାହାନଗା ଯିବାର ଅଛି । ନିରବ ରହି ପାରିଲେନି, ସେନାପତି ଅଶ୍ୱିନୀ ମୁଖ୍ୟମନ୍ତ୍ରୀ ନବୀନ ଓ ମମତାଙ୍କ ନିକଟରେ ଫିକା ପଡ଼ିଯିବାର ଆଶଙ୍କା ତାଙ୍କୁ ଚିନ୍ତାରେ ପକାଇଲା । ବାଜି ମାରିବାକୁ ଉଡ଼ିଆସିଲେ ବାହାନଗା । ଏକା ନୁହେଁ ସାଙ୍ଗରେ ଥିଲେ ଅନୁଗତ ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ଆଗମନ ଦେଖି ବାହାନଗା ଧାଇଁଲେ ରାଜ୍ୟର ବହୁ ବିଜେପି ନେତା।

ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ସାମାନ୍ୟ ଅନୁକମ୍ପା ଦେଖାଇବା ପାଇଁ କାହାରି ମନରେ ସାମାନ୍ୟ ଅଭିଳାଷ ନଥିଲା । ଅଭିଳାଷ ଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିରେ ସୁନାପିଲା ହେବା ପାଇଁ ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କ୍ୟାବିନେଟର ସବୁ ସଭ୍ୟଙ୍କୁ ଭଲ ଭାବରେ ଚିହ୍ନିଛନ୍ତି । ଓଡ଼ିଶାରେ ବିଜେପିକୁ କ୍ଷମତାସୀନ କରିବା ପାଇଁ ସେ ଯୋଉମାନଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି; ସେମାନଙ୍କୁ ଭିତରୁ ଜଣେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମ୍ନାରେ ଅଂଟା ସଳଖି ଠିଆ ହୋଇପାରିବେନି; ସେ କଥା ମୋଦିଙ୍କୁ ଜଣାଅଛି ।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଦି ଯେତିକି ମୁଣ୍ଡାଉଛନ୍ତି; ସେ ସେତିକି ମାଡ଼ି ହୋଇ ପଡୁଛନ୍ତି । ଏକା ଧର୍ମେନ୍ଦ୍ର ନୁହନ୍ତି, ଅଶ୍ୱିନୀ, ବୈଜୟନ୍ତ୍ର, ବିଶେଶ୍ୱର ଟୁଡୁଙ୍କ ଭଳି ବହୁ ରାଜ୍ୟ ବିଜେପି ନେତା ମୋଦିଙ୍କ ପିଠିରେ ବସି ଲୋକସଭା ଓ ବିଧାନସଭା ନିର୍ବାଚନ ପାରି ହେବାକୁ ବସିଛନ୍ତି ।

ଜଣେ ବି ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପିଠିରେ ବସାଇବାକୁ ରାଜି ନୁହନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବାର ଅଛି । ରାଜ୍ୟ ବିଜେପିକୁ ଶକ୍ତିଶାଳୀ କରିବା ପାଇଁ ଅଂଟା ଭିଡିଛନ୍ତି । ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ନବୀନଙ୍କର ଘନିଷ୍ଠ ସଂପର୍କ ରହିଛି । କେନ୍ଦ୍ର ନେତାଙ୍କୁ ସନ୍ତୁଷ୍ଟ କରି ରାଜ୍ୟ କ୍ଷମତାକୁ ଆହୁରି କିଛି ବର୍ଷ ମାଡ଼ି ବସିବାର ଅଭିଳାଷ ଥିବାରୁ ବାହାନଗା ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ ପରେ ଉଁ କି ଚୁଁ କହିନାହାନ୍ତି ନବୀନ ପଟ୍ଟନାୟକ ।