ଜାଣନ୍ତୁ, କାହିଁକି ‘କାଶତଣ୍ଡି’ ଡାକିଆଣେ ମା’ ଦୁର୍ଗାଙ୍କୁ
ମା’ଦୁର୍ଗାଙ୍କର ପରମ ଭକ୍ତ କାଶତଣ୍ଡି
ଜନକଲ୍ୟାଣ ପାଇଁ ନେଇଥିଲା ଜୀବନ୍ତ ସମାଧି
ଶରତ ଋତୁରେ ବିଲମାଳ ତୋଟା ଚାରିଆଡେ଼ ଦେଖିବାକୁ ମିଳେ କାଶତଣ୍ଡି ଫୁଲର ଦୋଳିଖେଳ । ଥିରିଥିରି ପବନ କାଶତଣ୍ଡି ବଣ ଭିତରେ ପଶିଗଲା ବେଳେ ଧୋବଧାଉଳିଆ ଫୁଲଗୁଡ଼ିକ ନାଚି ଉଠନ୍ତି । କେତେବେଳେ ଉପରକୁ ତ କେତେବେଳେ ତଳକୁ । ଶାରଦୀୟ ପରିବେଶକୁ ଆହୁରି କମନୀୟ କରିଦିଅନ୍ତି । କାଶତଣ୍ଡି ଫୁଲ ଆଉ କୋଉ ଋତୁରେ ଦେଖିବାକୁ ମିଳେନା । କେବଳ ଶରତ ଋତୁର ଆଗମନକୁ ଆହୁରି ସୁନ୍ଦର କରିବା ପାଇଁ କାଶତଣ୍ଡି ଫୁଲ ଫୁଟେ । ବର୍ଷତମାମ କାଶତଣ୍ଡି ଗଛଟି ବଂଚି ରହି ଅପେକ୍ଷା କରିଥାଏ ମା’ ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ।
କ’ଣ ପାଇଁ କାଶତଣ୍ଡିର ଏହି ତପସ୍ୟା ।
ପ୍ରେମ ପାଗଳିନୀ କାଶତଣ୍ଡି ଅପେକ୍ଷା କରିଥିଲା ତା’ର ପ୍ରଣୟକୁ । ମାତ୍ର ପାଇଲାନି; କିପରି ପାଇବ? ଦଳିତ ପରିବାରର କନ୍ୟା ସେ, ରାଜକୁମାରକୁ ଭଲ ପାଇବା ତା’ ପାଇଁ ଥିଲା ବିରାଟ ଅପରାଧ । ସମାଜର ବାଛବିଚାରକୁ ପଛକୁ ପକାଇ ନିତିଦିନ ଧାଇଁଯାଏ ଗହୀରିଆ ବିଲତୋଟାକୁ ପ୍ରିୟତମକୁ କ୍ଷଣଟିଏ ପାଖରେ ପାଇବାକୁ ।
ରାଜାଘର ପୁଅ ସେ । ତା’ ପାଇଁ କ’ଣ କନ୍ୟା ଅଭାବ ରହିବେ । ମାତ୍ର କେଜାଣି କାହିଁକି ରାଜକୁମାରଙ୍କ ମନଟି ଅଟକି ଯାଇଥିଲା ଦଳିତ କନ୍ୟା କାଶତଣ୍ଡି ପାଖରେ । ସେ ବି ନିତିଦିନ ଧାଇଁ ଆସୁଥିଲେ ପ୍ରଣୟିନୀର ବାହୁଭିତରେ ଘଡ଼ିଏ ବାନ୍ଧି ହୋଇ ରହିବାକୁ । ହେଲେ ଦଇବ ସହିଲାନି । ଜାତିଗତ ବାଛବିଚାର ଜାଲରେ ଦୁଇଟି ମନ ରହିଗଲେ ନଦୀର ଦୁଇକୂଳରେ । ନଦୀର ଦୁଇକୂଳ କ’ଣ କେବେ କୋଉଠି ପରସ୍ପରକୁ ଛୁଇଁ ପାରିଛନ୍ତି । ରାଜକୁମାର ଆଉ ବିଚାରି କାଶତଣ୍ଡି ଭାଗ୍ୟରେ ସେଇଆ ଥିଲା ।
ପୁଅକୁ ନଅରକୁ ଆଣିବା ପାଇଁ ନଦୀପଠାକୁ ସୈନ୍ୟସାମନ୍ତ ପଠାଇଲେ ମହାରାଜା । ରାଜକୁମାରଙ୍କ ମୁଣ୍ଡକୁ କୋଳରେ ରଖି ତା’ ଉପରେ ଧଳା ଓଢ଼ଣିଟିକୁ ଘୋଡ଼ାଇ ଦେଇଥିଲେ ଅପରୂପା କାଶତଣ୍ଡି । ଦୁହେଁ ପରସ୍ପରକୁ ଜଡ଼ାଇ ଧରି ପ୍ରେମର ଅପୂର୍ବ ମୁହୂର୍ତ ଉପଭୋଗ କରୁଥିବା ସମୟରେ ପହଂଚି ଯାଇଥିଲେ ସୈନ୍ୟସାମନ୍ତ । ‘ଏ କ’ଣ ରାଜକୁମାର । ଛାର ଦଳିତ ଝିଅଟି ପାଇଁ ଆପଣ ରାଜଉଆସ ଛାଡ଼ି ଚାଲି ଆସିଛନ୍ତି । ତୁରନ୍ତ ଆମ ସାଙ୍ଗରେ ଚାଲନ୍ତୁ’, ସେନାପତିଙ୍କର କଡ଼ା ଆଦେଶ । ‘ନା, କାଶତଣ୍ଡି ମୋ ଜୀବନ । ତା’ ବିନା ମୁଁ ବଂଚି ପାରିବିନି । ଉଆସକୁ ଯଦି ଯିବି, କାଶତଣ୍ଡିକୁ ସାଙ୍ଗରେ ନେବି । ତା’ ନହେଲେ, ସାରା ଜୀବନ ଏହି ବିଲମାଳରେ ରହିଯିବି । ଲୋଡ଼ାନାହିଁ ମୋର ରାଜସୁଖ । ଲୋଡ଼ାନାହିଁ ମୋର ରାଜ୍ୟଭୋଗ ।’ ରାଜକୁମାରଙ୍କ ଜିଦ ନିକଟରେ ସୈନ୍ୟସାମନ୍ତ ନିରବ ।
ଉଆସକୁ ଖବର ପଠାଗଲା । ମହାରାଜାଙ୍କର ଗୋଟାଏ ଜିଦ । ଆଦେଶ ଦେଲେ, ‘ଦଳିତ କନ୍ୟା ରାଜପରିବାରର ବୋହୂ ହୋଇପାରିବନି । ଦଳିତ କନ୍ୟାକୁ ଜୀବନ୍ତ ସମାଧି ଦେଇ ରାଜକୁମାରଙ୍କୁ ବଳପୂର୍ବକ ଉଆସକୁ ନେଇଆସ ।’
ମହାରାଜାଙ୍କଠାରୁ ଆଦେଶ ପାଇ ସୈନ୍ୟମାନେ ରାଜକୁମାରଙ୍କୁ ଦଳିତ କନ୍ୟାଠାରୁ ଅଲଗା କଲେ । ସାଙ୍ଗେ ସାଙ୍ଗେ ଗାତ ଖୋଳାଗଲା । ଦଳିତ କନ୍ୟାକୁ ଗାତରେ ପୋତି ଦିଆଗଲା । ବୁକୁଫଟା ଚିକ୍ରାର କଲେ ରାଜକୁମାର । ‘ଛାଡ଼ିଦିଅ ମୋ କାଶତଣ୍ଡିକୁ । ନଚେତ ତା’ ସହିତ ମୋତେ ପୋତିଦିଅ ।’
ଚିର ସମାଧି ନେଉନେଉ କହିଲା କାଶତଣ୍ଡି, ‘ଯାଅ ରାଜକୁମାର । ଫେରିଯାଅ ଉଆସକୁ । ମୋତେ ଝୁରିଝୁରି ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ କରିବନି । ତମେ ରାଜକୁମାର । ଲୋକଙ୍କ ସେବା କରିବା ପାଇଁ ତମେ ଜନ୍ମ ନେଇଛ । ମହାରାଜା ଯାହା ବିଚାର କରିଛନ୍ତି; ତମର ମଙ୍ଗଳ ପାଇଁ । ତାଙ୍କ ମନରେ ଦୁଃଖ ଦେଇ ଆମେ ଶାନ୍ତିରେ ରହି ପାରିବାନି ।’ ରାଜକୁମାର କାନ୍ଦି କାନ୍ଦି କହିଲେ, ‘ତମ ବିନା ମୋ ଜୀବନ ତୁଚ୍ଛ । ତମ ପଛେପଛେ ମୁଁ ଯମପୁର ଆସୁଛି ।’
‘ରାଜକୁମାର । ତମେ ଯଦି ମୋତେ ସତରେ ଭଲ ପାଉଥାଅ । ଆତ୍ମହତ୍ୟା କରିବ ନାହିଁ । ମୋତେ ଅପେକ୍ଷା କରିବ, ପ୍ରତିବର୍ଷ ଶରତ ଋତୁରେ ଆମର ମିଳନ ହେବ ଏଇ ସମାଧି ପୀଠରେ ।’
ଭଗ୍ନ ହୃଦୟ ଧରି ରାଜକୁମାର ଫେରିଗଲେ ରାଜଉଆସ । ବାପାଙ୍କୁ କହିଲେ, ‘ଜୀବନରେ କେବେ ବିବାହ କରିବାକୁ କହିବ, ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି । ତମରି ରକ୍ତ ମୋର ଶରୀରରେ ପ୍ରବାହିତ । ତମେ ତମ ଜିଦରେ ଅଟଳ ରହି ମୋ କାଶତଣ୍ଡିକୁ ଜୀବନ୍ତ ସମାଧି ଦେଲ । ଏବେ ମୋ ଜିଦକୁ ସମ୍ମାନ ଦିଅ । ନଚେତ ପୁତ୍ରଧନକୁ ହରାଇ ବସିବ ।’ ମନକୁ ବୁଝାଇ ରାଜକୁମାର ସିଂହାସନ ଆରୋହଣ କଲେ । ରାଜ୍ୟବାସୀଙ୍କୁ ସୁଖରେ ରଖିଲେ । ମାତ୍ର ଆଉ ବିବାହ କଲେନାହିଁ । ଅପେକ୍ଷା କରନ୍ତି ପ୍ରତି ଶରତ ଋତୁକୁ । ଶରତ ଋତୁରେ କାଶତଣ୍ଡି ଫୁଲ ଫୁଟିଲେ, ରାଜକୁମାର ଚାଲିଯାଆନ୍ତି କାଶତଣ୍ଡି ବଣକୁ । ସାରା ଶରତ ଋତୁଟିକୁ କଟାଇ ଦିଅନ୍ତି । ଶରତ ଋତୁରେ ଅତୃପ୍ତ ଆତ୍ମାଗୁଡ଼ିକ ଧରାକୁ ଓହ୍ଲାଇ ଆସିଥାନ୍ତି । ସେହି ଅତୃପ୍ତ ଆତ୍ମା ଭିତରୁ କାଶତଣ୍ଡି ଗୋଟିଏ ।
ପ୍ରେମର ଋତୁ ଶରତ ଋତୁ । ମନଲାଖି ଝିଅ ଅବା ପୁଅଟିଏ ପାଇବାକୁ ଚାହୁଁଛ ତ କାଶତଣ୍ଡି ଫୁଲ ପାଖରେ ଠିଆହୋଇ ଥରେ ମନଖୋଲି କହିଦିଅ । ‘ଆଲୋ ପ୍ରେମ ପାଗଳିନୀ କାଶତଣ୍ଡି । ମୋ ମନର ପୁରୁଷ ସହିତ ମୋର ମିଳନ ପାଇଁ ବାଟ ଫିଟାଇଦେ ।’ ତା’ପରେ ଦେଖ କାଶତଣ୍ଡି ଫୁଲର କୁହୁକ ଶକ୍ତି । ଯଥାଶୀଘ୍ର ଆପଣଙ୍କ ମନଲାଖି ଝିଅ ଅବା ପୁଅଟିକୁ ଜୀବନସାଥୀ ରୂପେ ପାଇଯିବେ ।