ଭୁବନେଶ୍ୱର ଦେଖିବ ବାୟୁସେନାର ‘ଥ୍ରିଲର୍‌ ସୋ’

ଲଢୁଆ ଜେଟ୍‌ର ଲୋମଟାଙ୍କୁରା ଚେହେରା

ଶୁକ୍ରବାର କୁଆଖାଇ ନଦୀପଠା ଜମିବ ….

ଭୁବନେଶ୍ୱର: ଶୁକ୍ରବାର କୁଆଖାଇ ନଦୀପଠା ଜମିବ । ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଭାରତୀୟ ବାୟୁସେନାର କୁଶଳୀ ପାଇଲଟ୍‌ମାନେ ବିମାନର ଚକାଭଉଁରୀ କାରନାମା ଦେଖାଇବେ । ଯୋଉ ବିମାନର ଭୀମ ଗର୍ଜନ ଶୁଣି ଶତ୍ରୁପକ୍ଷର ଛାତି ପଞ୍ଜରା ଥରିଯାଏ । ସେହି ବିମାନକୁ ଉଡ଼ାଇ ରଣକୌଶଳ ଦେଖାଇବ ବାୟୁସେନା । ଶୁକ୍ରବାର ବିମାନ ସୋ’ ଦେଖିଲେ, ମନେ ପଡ଼ିଯିବ ବୀର ପାଇଲଟ୍‌ ଅଭିନନ୍ଦନଙ୍କ ବୀରତ୍ୱ କାହାଣୀ । ପାକିସ୍ତାନ ସେନାକୁ ମାତ୍‌ ଦେବା ପାଇଁ ନିଜର ପ୍ରିୟ ବିମାନଟିକୁ ଧରି ସାହସର ସହ ପଶି ଯାଇଥିଲେ; ଦୈବାତ୍‌ କ୍ରମେ ପାକ୍‌ସେନା ହାବୁଡ଼ରେ ପଡ଼ିଗଲେ । ପାକ୍‌ସେନା ତାଙ୍କୁ ଯଥେଷ୍ଟ ନିର୍ଯାତନା ଦେଇଥିଲା; ମାତ୍ର ଭାରତ ସରକାରଙ୍କ ଦକ୍ଷ କୂଟନୀତି ସାମ୍ନାରେ ପାକ୍‌ସେନାକୁ ନଇଁବାକୁ ପଡ଼ିଥିଲା । ଶତ୍ରୁଗଡ଼ରେ ଏକାଧିକ ଘାଟିକୁ ମାଟିରେ ମିଶାଇବା ପରେ ଶତ୍ରୁସେନା ହାତରେ ଧରାପଡ଼ିଥିଲେ; ମାତ୍ର କୌଣସି ପରିସ୍ଥିତିରେ ଭାରତମାତାର ଗୌରବକୁ କ୍ଷୁର୍ଣ୍ଣ ହେବାକୁ ଦେଇ ନଥିଲେ । ସେହି ଦୁର୍ଦ୍ଧଷ ବାୟୁସେନା ଆମ ଆଗରେ ସେମାନଙ୍କର ଆକାଶଚୁମ୍ବୀ ଅଭିଯାନ ଦେଖାଇବେ ।

ବୁଧବାର ଓ ଗୁରୁବାର ଦୁଇଦିନ ଧରି ରିହର୍ସାଲ ଚାଲିଥିଲା ବେଳେ ବହୁ ଜନସମାଗମ ହୋଇଥିଲା । ଗୁରୁବାର ବାୟୁସେନାର ଦକ୍ଷ ଅଧିକାରୀମାନେ ରାଜ୍ୟ ସରକାରଙ୍କ ପୁଲିସ ଟିମ ସହଯୋଗରେ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆର ସାଜସଜ୍ଜା ଅନୁଧ୍ୟାନ କରିବା ସହିତ ରଣକୌଶଳ ପ୍ରଦର୍ଶନ ପାଇଁ ରୋଡ୍‌ମ୍ୟାପ୍‌ ଦେଖିଥିଲେ । କଡ଼ା ସୁରକ୍ଷା ବଳୟ ଭିତରେ ଏହି ବିମାନ ସୋ’ ଆୟୋଜନ କରାଯାଇଛି ।
ନଦୀଶଯ୍ୟାରେ ୧୨୦୦ ଅତିଥିଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି । ତେବେ ଲକ୍ଷାଧିକ ଲୋକ ବାୟୁସେନା ସୋ’କୁ ଉପଭୋଗ କରିବାର ସମ୍ଭାବନା ରହିଛି । ସୁରକ୍ଷା ପାଇଁ ୨୦ ହଜାର ପୁଲିସ ପ୍ଲାଟୁନକୁ ମୁତୟନ କରାଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ବାଲିପଠାରୁ ବିମାନ ସୋ’ ଦେଖିବାର ସମ୍ଭାବନା ରହିଛି । ଆଗାମୀ ୧୮ ତାରିଖରେ ପୁରୀ ବେଳାଭୂମିରେ ମଧ୍ୟ ବିମାନ ସୋ’ ଆୟୋଜନ କରାଯାଉଛି ।