ସଂସ୍କାର ଶିଶୁ ମହୋତ୍ସବ ‘ମୟୂରୀ’ ଉଦଯାପିତ : ପଥ ଉତ୍ସବରେ ଝୁମିଲା ବାରିପଦା

କଂସ ଦରବାର ସହିତ ଚଳଚିତ୍ର ତାରକା ଓ ଚିତ୍ରଶିଳ୍ପୀଙ୍କ ଭିଡ଼

ବାରିପଦା(ସାକ୍‌ସୀ ନ୍ୟୁଜ୍‌): ସ୍ଥାନୀୟ ଶିଶୁ ଉଦ୍ୟାନରେ ଚାରିଦିନ ଧରି ଚାଲିଥିବା ସଂସ୍କାର ଶିଶୁ ମହୋତ୍ସବ ‘ମୟୂରୀ’ ଉଦଯାପିତ ହୋଇଯାଇଛି। ମହୋତ୍ସବର କାର୍ଯ୍ୟକାରୀ ସଭାପତି ଡଃ ବନଜା ମହାନ୍ତି, ପ୍ରତିଷ୍ଠାତା ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ତଥା କମିଟିର ଅନ୍ୟାନ୍ୟ ସଦସ୍ୟ/ ସଦସ୍ୟାଙ୍କ ପ୍ରତ୍ୟେକ୍ଷ ପରିଚାଳନାରେ ଚଳିତବର୍ଷ ଆୟୋଜିତ ଭବ୍ୟ ପଥ ଉତ୍ସବରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ସୁଶୀଲ ମେହେର ତାଙ୍କ ମନ୍ତ୍ରୀ ଓ ସେନାପତି, ଓଲିଉଡ଼ ନାୟିକା ଲକି ମନୀଷା, ନ୍ୟୁଜ ସେଭେନର ମାଗାନ୍ନା ଓଳିଗି ଫେମ ନିରଞ୍ଜନ ଓଝାଙ୍କ ସମେତ ବହୁ ବିଶିଷ୍ଟ ଚିତ୍ରଶିଳ୍ପୀମାନେ ଯୋଗଦେଇ କୁନି କୁନି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ। ଦ୍ଵିତୀୟ ବାର୍ଷିକ ପଥ ଉତ୍ସବରେ ଶହ ଶହ ଶିଶୁ, ଅଭିଭାବକ ଓ କଳାକାର ନୃତ୍ୟ, ଗୀତ ଓ ବାଜାର ତାଳେ ତାଳେ ଝୁମିଥିଲେ। ଏହି ଅବସରରେ ସେଲ୍ଫି ଷ୍ଟାଣ୍ଡ ରେ କ୍ରାଫ୍ଟସ ମେଳା, ବାଲୁକା କଳା, ଲାଇଭ୍ ପେଣ୍ଟିଂ, ଜଉ କଣ୍ଢେଇ କର୍ମଶାଳା, କାର୍ଟୁନ୍ ଆର୍ଟ, ସ୍ମକ ଆର୍ଟ ଭଳି କଳା ପ୍ରଦର୍ଶନ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ମୁଖ୍ୟ ମଞ୍ଚରେ କଂସ ଦରବାର ବେଶ ଆକର୍ଷଣୀୟ ଥିଲା। କଂସ ମହାରାଜ ଓ ଚଳଚ୍ଚିତ୍ର ତାରକାମାନେ ପିଲାମାନଙ୍କ ସହ ଫଟୋ ଉଠାଇବା ଓ ସେମାନଙ୍କ କଳାକୁ ପ୍ରଶଂସା କରିବା ପଥ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ।

ଚାରିଦିନ ଧରି ପିଲା ଓ ମା’ମାନଙ୍କର ପ୍ରତିଭା ପ୍ରଦର୍ଶନ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୬୦ରୁ ଅଧିକ ପ୍ରତିଯୋଗିତାରେ ହଜାର ହଜାର ପିଲା ଭାଗ ନେଇଥିଲେ। ମୁଁ ହେବି କୁନି ରିପୋର୍ଟର, ମୁଁ ମୟୂରଭଞ୍ଜିଆ କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ଅଭିଭାବକ ଓ ଦର୍ଶକଙ୍କୁ ବେଶ ଛୁଇଁଥିଲା। ସ୍ମକ୍ ଆର୍ଟ ଓ ଶିଶୁ ନାଟକ ‘ଗଛ’ ଦର୍ଶକଙ୍କ ମନ ଜିଣିଥିଲା। ଦ୍ଵିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡଃ ମହେନ୍ଦ୍ର କୁମାର ମହାନ୍ତି ଭିନ୍ନ ଭିନ୍ନ ଲେଖକଙ୍କର ୪ ଟି ପୁସ୍ତକ ଲୋକାର୍ପିତ କରିଥିଲେ ।

ଡଃ ଯୋଗେନ୍ଦ୍ର ନାଥ ପଣ୍ଡାଙ୍କ ଲିଖିତ ଭକ୍ତି ଇନ୍ ଶ୍ରୀ ଚୈତନ୍ୟ ଫିଲୋସଫି, ହୃଷୀକେଶ ବେହେରାଙ୍କ ଡାହାଣୀ ୧,୨,୩ ଓ ଅନ୍ୟାନ୍ୟ ଗଳ୍ପ ଏବଂ ଚିତ୍ରଡା ଇତିହାସ ତଥା ଲେଖକ ଡଃ ସୁଶାନ୍ତ କୁମାର ବସାଙ୍କ ପୁସ୍ତକ ଶିଶୁ କବିତା ଚୟନ ଲୋକାର୍ପିତ ହୋଇଥିଲା। ତୃତୀୟ ଦିବସରେ ବୃକ୍ଷରୋପଣ, ହେଲମେଟ ସଚେତନତା ଠୁ ଆରମ୍ଭ କରି ବାରିପଦା ଫାୟାର ଅଫିସ ଦ୍ୱାରା ଫାୟାର ସେଫଟି ମକ ଡ୍ରିଲ ସହିତ ସାଇବର ଥାନା ଦ୍ୱାରା ସାଇବର ସେଫଟି ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା। ଏହି ଅବସରରେ ମାଆ ମାନଙ୍କ ଦ୍ୱାରା ସୁସ୍ୱାଦୁ ପିଠା ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ ମାଗାନ୍ନା ଓ ସାଥୀ କଳାକାର ମାନଙ୍କ ଦ୍ୱାରା ଶ୍ରୀକ୍ଷେତ୍ର ପୁରୀ କ୍ଷୁଦ୍ର ନାଟକ ପ୍ରଦର୍ଶିତ ହୋଇଥିଲା ।

ପ୍ରକାଶ ଥାଉକି ପ୍ରତିଦିନ ସକାଳ ୮ ରୁ ଯୋଗ ଧ୍ୟାନ ଓ ପ୍ରାର୍ଥନାରୁ ଆରମ୍ଭ ହୋଇ ବିଭିନ୍ନ ପ୍ରତିଯୋଗିତା, କର୍ମଶାଳା, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଶେଷରେ ଉଦଯାପନୀ ଉତ୍ସବରେ ବିଜେତା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ନିର୍ଦ୍ଦେଶକ କୁକୁମିନା ଦାସ, ସମ୍ମାନୀତ ଅତିଥି ଭାବେ ମିଳନିକା ମହାନ୍ତି, ରାଇମଣି ହେମ୍ବ୍ରମ, ସଂଗୀତଜ୍ଞ ଶାନ୍ତନୁ ସିଂ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପୁରସ୍କାର ବିତରଣ ପରେ ଉପସ୍ଥିତ ପ୍ରତିଯୋଗୀ ଅଭିଭାବକ ଓ ଦର୍ଶକ ମୁଖ୍ୟ ମଞ୍ଚରେ ଚଳିତବର୍ଷର ଥିମସଙ୍ଗ ଜିଙ୍ଗାଲାଲା ଗୀତରେ ନୃତ୍ୟ କରି ଝୁମିବା ସହିତ ଶେଷରେ ଛେନାପୋଡ଼ କାଟି ସେଲିବ୍ରେସନ କରିଥିଲେ। ଆୟୋଜକ କହିଥିଲେ ଯେ “ମୟୂରୀ କେବଳ ପ୍ରତିଯୋଗିତା ନୁହେଁ, ଏହା ପିଲାଙ୍କୁ ମୋବାଇଲ୍ ଛାଡ଼ି ନିଜ ସଂସ୍କାର, ପରମ୍ପରା ଓ ମାଟି ସହ ଯୋଡ଼ିବାର ଏକ ପ୍ରୟାସ। ଆଗାମୀ ବର୍ଷ ପିଲାଙ୍କ ମହୋତ୍ସବ ମୟୂରୀ ଆହୁରି ବଡ଼ ହେବ ବୋଲି ପ୍ରତିଶ୍ରୁତି ସହିତ ଏହି ମହୋତ୍ସବ ଉଦଯାପିତ ହୋଇଥିଲା ।