ବାରିପଦା(ସାକ୍ସୀ ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଠାରେ ବ୍ଲକସ୍ତରୀୟ ପଶୁପାଳନ ଓ ମତ୍ସ୍ୟଚାଷ ଉପରେ ଏକଦିବସୀୟ ମେଳା ମୋରଡ଼ା ବିଭିଓ ଶ୍ରୀ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ମେଳାରେ ମୋରଡ଼ା ବିଧାୟକ ତଥା ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଚାଷୀଙ୍କ ଆୟ ବୃଦ୍ଧି ସହ ପଶୁପାଳନ ଓ ମତ୍ସ୍ୟଚାଷକୁ ଆତ୍ମନିର୍ଭରଶୀଳତାର ଏକ ବଳିଷ୍ଠ ମାଧ୍ୟମ କରିବା ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ମୋରଡା ଠାରେ ଅନୁଷ୍ଠିତ ହୋଇଛି ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା।ଏହି ମେଳାରେ ଯୋଗଦେଇ ଚାଷୀଙ୍କୁ ବୈଜ୍ଞାନିକ ପଦ୍ଧତିରେ ଚାଷ କରି ଉତ୍ପାଦନ ବୃଦ୍ଧି କରିବାକୁ ଆହ୍ୱାନ ଦେବା ସହ ଭତ୍ତା ବଣ୍ଟନ ସମସ୍ୟାର ସମାଧାନ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ମୋରଡା ବିଧାୟକ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମୋରଡା ବିଡିଓ ଅଣାକର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମେଳାରେ ବ୍ଲକ ଅଧ୍ୟକ୍ଷ ପିଥନାଥ ସୋରେନ, ଉପାଧ୍ୟକ୍ଷା ଜେମାମଣି ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟସଭ୍ୟା ସମେତ ଅନ୍ୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।
ମେଳାରେ ମନ୍ତ୍ରୀ ଚାଷୀମାନଙ୍କୁ ମତ୍ସ୍ୟଚାଷ, ଗୋପାଳନ, ଛେଳି ଓ କୁକୁଡ଼ା ପାଳନ ଭଳି ବିଭିନ୍ନ ଲାଭଜନକ କୃଷିଭିତ୍ତିକ ଉଦ୍ୟୋଗ ଆପଣାଇବାକୁ ପରାମର୍ଶ ଦେଇଥିଲେ। ଏଥିସହ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀଙ୍କଠାରୁ ଆବଶ୍ୟକ ପରାମର୍ଶ ଓ ସରକାରୀ ସହଯୋଗ ନେଇ ଆଧୁନିକ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବାକୁ ପରାମର୍ଶ ଦେଇ କହିଥିଲେ। ଅନ୍ୟପଟେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ସ୍ୱାବଲମ୍ବୀ ହୋଇଥିବା ଚାଷୀଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ। ପିଗିରି ଯୋଜନାରେ ସଫଳତା ପାଇଥିବା ଚାଷୀ ରୋହିଣୀ ମହାନ୍ତଙ୍କୁ ଟ୍ରଫି, ମାନପତ୍ର ସହ ୨ ଲକ୍ଷ ୫୨ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ ଗୋପାଳନ, ଛେଳି, କୁକୁଡ଼ା ଓ ମାଛଚାଷରେ ସଫଳତା ପାଇଥିବା ଗୁରୁଭା ସିଂଙ୍କୁ ୭୦ ହଜାର ଟଙ୍କାର ପ୍ରୋତ୍ସାହନ ଚେକ୍ ହସ୍ତାନ୍ତର କରିଥିଲେ ମନ୍ତ୍ରୀ ।
ତେବେ ଏହି ମେଳାର ଆଉ ଏକ ପ୍ରମୁଖ ଆକର୍ଷଣ ଥିଲା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ। ବିଭିନ୍ନ ପଞ୍ଚାୟତର ହିତାଧିକାରୀଙ୍କୁ ମନ୍ତ୍ରୀ ଭତ୍ତା ପ୍ରଦାନ କରିବା ସହ ଭତ୍ତା ବଣ୍ଟନକୁ ନେଇ ରହିଥିବା ସମସ୍ୟା ଦୂର ହେବ ବୋଲି ଆଶ୍ୱାସନା ଦେଇଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ କହିବା ଅନୁଯାୟୀ, ପୂର୍ବରୁ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କ୍ଷେତ୍ରରେ ଡେଥ୍ ଭାକାନ୍ସି ବା ପୂର୍ବରୁ ଭତ୍ତା ପାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ଖାଲି ହେଉଥିବା ସ୍ଥାନ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଫଳରେ ଅନେକ ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହୋଇ ଅପେକ୍ଷା କରୁଥିଲେ। କିନ୍ତୁ ବର୍ତ୍ତମାନ ବିଜେପି ସରକାରଙ୍କ କ୍ୟାବିନେଟରେ ଡେଥ୍ ଭାକାନ୍ସି ବ୍ୟବସ୍ଥା ହଟାଇବାକୁ ମଞ୍ଜୁରୀ ମିଳିଥିବାରୁ ଆଗକୁ ଭତ୍ତା ପ୍ରଦାନ କ୍ଷେତ୍ରରେ ଆଉ ସେଭଳି ସମସ୍ୟା ରହିବ ନାହିଁ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ତେବେ ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଭତ୍ତା ଅପେକ୍ଷାରେ ଥିବା ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କ ମନରେ ନୂଆ ଆଶା ସଞ୍ଚାର ହେବା ମନ୍ତ୍ରୀଙ୍କ ଉଦ୍ୟମ ପାଇଁ କୃତଜ୍ଞତା ଜଣାଇବା ସହିତ ସବୁ ମହଲରୁ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି ।