ହୋଲିକା ଦହନ: ହୋଲି ଦିନ ହଳଦିଆ ବସ୍ତ୍ର ପିନ୍ଧନ୍ତୁ ନାହିଁ

ଶରୀର ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ରହିବ ନାହିଁ…

ସାରା ଭାରତରେ ରଙ୍ଗର ପର୍ବ ହୋଲି ମାହୋଲ ଆରମ୍ଭ ହୋଇଛି । ଦୁଷ୍ଟଶକ୍ତି ଉପରେ ଦିବ୍ୟଶକ୍ତିର ବିଜୟ ସ୍ୱରୂପ ହୋଲି ପାଳନ କରାଯାଏ । ହୋଲି ଓ ଦୋଳ ପୂର୍ଣ୍ଣିମାକୁ କେନ୍ଦ୍ର କରି ଆମ ପୁରାଣରେ ବହୁ କଥା ବର୍ଣ୍ଣନା କରାଯାଇଛି । ତେବେ ସେଥିଭିତରୁ ହୋଲିକା ଦହନ ପୂଜା ଅନ୍ୟତମ । ହୋଲି ପୂର୍ବ ରାତିରେ ହୋଲିକା ଦହନ ଅନୁଷ୍ଠିତ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ରମତେ ହୋଲିକା ଦହନ ଅବା ହୋଲିଦିନ ହଳଦିଆ ବସ୍ତ୍ର ପିନ୍ଧିବା ଅନୁଚିତ । ରାକ୍ଷସରାଜ ହିରଣ୍ୟକଶିପୁଙ୍କ ଭଉଣୀ ହୋଲିକା ଅଗ୍ନିରେ ପୋଡ଼ିବ ନାହିଁ ବୋଲି ବର ପାଇଥିଲା । କିନ୍ତୁ ଭାଗ୍ୟ ବିପର୍ଯ୍ୟୟ କାରଣରୁ ତା’ର ଦହନ କରାଗଲା । ପୋଡ଼ିଯିବା ପରେ ହୋଲିକାର ବୁଦ୍ଧି ଉଦୟ ହୋଇଥିଲା । ହିରଣ୍ୟକଶିପୁ କଥାରେ ପଡ଼ି ପୁତୁରା ପ୍ରହଲ୍ଲାଦକୁ ମାରିବା କଥା ପାଂଚି ନିଜେ ପ୍ରାଣ ହରାଇବା କଥା ଭାବି ହୋଲିକା ପୁଣି ପ୍ରଭୁଙ୍କର ଶରଣାପନ୍ନ ହେଲା । ପ୍ରଭୁଙ୍କ କୃପାବଳରେ ହୋଲିକା ଜଗତର କଲ୍ୟାଣ ପାଇଁ ସମର୍ପିତ ମନୋଭାବ ନେଇ କାମ କଲା ।

ହୋଲିକା ଦହନ ରାତିଟିକୁ କାଳରାତ୍ରି ଆଖ୍ୟା ଦିଆଯାଇଛି । ସେଦିନ ରାତିରେ ଆପଣ କାୟ ମନୋବାକ୍ୟରେ ଯେଉଁ ପୂଜାର୍ଚ୍ଚନା କରିବେ, ତା’ର ଶୁଭଫଳ ଅଚିରେ ପାଇବେ । ହୋଲି ଆମ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତି ଆଣିଦେଉ; ଏତିକି କାମନା । ହୋଲିକା ଦହନ ପୂଜାରେ ଆମକୁ କିଛି ନୀତି ନିୟମ ମାନି ଚଳିବାକୁ ପଡ଼ିଥାଏ । ଆସନ୍ତୁ, ସେ ବିଷୟରେ କିଛି ଜାଣିବା ।

୧. ଘିଅର ଦୀପ ଜାଳନ୍ତୁ: ଘରେ ସକାରାତ୍ମକ ଶକ୍ତି ପାଇବା ପାଇଁ ଗୃହର ଉତର କୋଣରେ ଘିଅର ଦୀପଟିଏ ଜାଳନ୍ତୁ ।

୨. ନିଆଁରେ ପବିତ୍ର ଦ୍ରବ୍ୟ ପକାନ୍ତୁ: ହୋଲିକା ଦହନ ପାଇଁ ପ୍ରସ୍ତୁତ ପାଳଗଦାରେ ଘଷି, ରାଶି ଓ ସୋରିଷ ତେଲ, ଚିନି, ଗହମ, ଅକ୍ଷତ ଓ ଶୁଖିଲା ନଡ଼ିଆ ପକାଇବା ଫଳରେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୩. ହଳଦିଗୁଣ୍ଡ ଓ ରାଶିତେଲ ବ୍ୟବହାର କରନ୍ତୁ: ହୋଲିକା ଦହନ ଦିନ ହଳଦିଗୁଣ୍ଡ ଓ ରାଶିତେଲ ଏକତ୍ର କରି ଶରୀରରେ ମାଲିସ କରନ୍ତୁ । ଦେହରୁ ମଳୁଖ ଝାଡ଼ି ସେଗୁଡ଼ିକୁ ଗୋଟିଏ କାଗଜରେ ସାଇତି ରଖନ୍ତୁ । ପରେ ସେହି ମଳୁଖକୁ ହୋଲିକା ନିଆଁରେ ପକାନ୍ତୁ । ସେପରି କରିବା ଫଳରେ ଶରୀର ସୁସ୍ଥ ଓ ନିରୋଗ ରହିବ । ଶରୀର ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ରହିବ ନାହିଁ ।

୪. ହୋଲିକା ଦହନ ଚାଲିଥିବା ସମୟରେ ଶ୍ରଦ୍ଧାଳୁମାନେ ହାତରେ ପାଣି ଧରି ପରିକ୍ରମା ସମୟରେ ନିଆଁ ଉପରକୁ ପକାଇବା ଉଚିତ । ସେପରି କଲେ, ହୋଲିକା ଦେବୀ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦେଇଥାନ୍ତି ।

୫. ହୋଲିକା ପାଉଁଶ ସଂଗ୍ରହ କରନ୍ତୁ: ହୋଲିକା ପାଉଁଶ ସଂଗ୍ରହ କରି ଦେହରେ ବୋଳିବା ଫଳରେ ଶରୀର ଓ ମନ ପବିତ୍ର ହୋଇଯାଏ ବୋଲି ବିଶ୍ୱାସ ରହିଛି ।