ଇତିହାସ ବହିରେ ରହିଯିବ କି କଂଗ୍ରେସ?

ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ କଂଗ୍ରେସର ଅବସ୍ଥା ଅତି ଶୋଚନୀୟ…

ନୂଆଦିଲ୍ଲୀ: କଂଗ୍ରେସର ଭବିଷ୍ୟତ ପ୍ରତି ସନ୍ଦେହ ପ୍ରକାଶ କରିଛନ୍ତି ଦଳର ବହୁ ତୁଙ୍ଗନେତା । ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳିଛି ଖାଲି ହତାଶ । କଂଗ୍ରେସର ସୂର୍ଯ୍ୟ ପୂର୍ବରେ ଉଦୟ ହେଲାନି । ଗୁରୁବାର ସକାଳୁ ଇଭିଏମ୍‌ ଖୋଲିବା ମାତ୍ରେ କଂଗ୍ରେସର ପରିଣାମ ସ୍ପଷ୍ଟ ହୋଇଯାଇଥିଲା । ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ କଂଗ୍ରେସର ଅବସ୍ଥା ଅତି ଶୋଚନୀୟ ।

ନିର୍ବାଚନ ପୂର୍ବରୁ ନାଗାଲାଣ୍ଡରେ କଂଗ୍ରେସର ସ୍ଥିତି ଶୂନ ଥିଲା, ଶୂନ ରହିଲା । ତ୍ରିପୁରାରେ କଂଗ୍ରେସର ସ୍ଥିତି ଶୂନରୁ ତିନିକୁ ବୃଦ୍ଧି ପାଇଛି । ମେଘାଳୟରେ କଂଗ୍ରେସ ୫କୁ ଖସିଯାଇଛି । ନିର୍ବାଚନ ପୂର୍ବରୁ ମେଘାଳୟରେ କଂଗ୍ରେସ ୨୧ଟି ଆସନରେ ଥିଲା । ବିଜେପିର ସ୍ଥିତି ପୂର୍ବାପେକ୍ଷା ମଜଭୁତ ହୋଇଛି । ତ୍ରିପୁରାରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିଲା ବେଳେ ଅନ୍ୟ ଦୁଇଟି ରାଜ୍ୟରେ ବିଜେପି ମେଂଟ ସରକାର ଗଠନ କରିବାକୁ ଯାଉଛି ।

୨୦୧୪ ପରଠାରୁ କଂଗ୍ରେସର ଗତି ତଳମୁହାଁ ରହିଛି । ହାତଗଣତି ରାଜ୍ୟକୁ ବାଦଦେଲେ, ଦେଶର ସର୍ବପୁରାତନ ଜାତୀୟ ଦଳ କଂଗ୍ରେସର ସୂର୍ଯ୍ୟ ଅସ୍ତମିତ ପ୍ରାୟ । ଦେଶରେ ପ୍ରାୟ ୪୦୩୩ ବିଧାୟକ ଅଛନ୍ତି ସେମାନଙ୍କ ଭିତରୁ ୬୫୮ ଉଦୀୟମାନ ଯୁବପିଢ଼ୀ ।

ଗତ ୮ ବର୍ଷ ଭିତରେ କଂଗ୍ରେସର ବିଧାୟକ ସଂଖ୍ୟା ୨୪%ରୁ କମି ୧୬% ହେଲାଣି । ପାଂଚଟି ରାଜ୍ୟରେ କଂଗ୍ରେସର କେହି ବିଧାୟକ ନାହାନ୍ତି । ୯ଟି ରାଜ୍ୟରେ କଂଗ୍ରେସର ବିଧାୟକ ସଂଖ୍ୟା ୧୦ରୁ କମ୍‌ ରହିଛି । ୧୯୫୧ରେ ଅନୁଷ୍ଠିତ ଦେଶର ପ୍ରଥମ ସାଧାରଣ ନିର୍ବାଚନରେ କେବଳ ତାମିଲନାଡୁ ରାଜ୍ୟକୁ ବାଦ ଦେଲେ, ଅନ୍ୟ ସବୁ ରାଜ୍ୟରେ କଂଗ୍ରେସ କ୍ଷମତାସୀନ ହୋଇଥିଲା । ମାତ୍ର ଏବେ ମାତ୍ର ତିନୋଟି ରାଜ୍ୟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଛନ୍ତି ।