କାଶୀ ମଶାଣି ହୋଲି: ଅଘୋରୀଙ୍କୁ ପ୍ରିୟ ହରିଶ୍ଚନ୍ଦ୍ର ଘାଟ ଚିତା ପାଉଁଶ

କାଶୀରେ ଅନୁଷ୍ଠିତ ମଶାଣି ହୋଲିର ଆୟୋଜକ …

କାଶୀ: କାଶୀରେ ଅନୁଷ୍ଠିତ ମଶାଣି ହୋଲିର ଆୟୋଜକ ପବନ କୁମାର ଚୌଧୁରୀ ନିଜକୁ ରାଜା ହରିଶ୍ଚନ୍ଦ୍ରଙ୍କୁ କିଣିଥିବା ଚଣ୍ଡାଳ ରାଜାଙ୍କ ବଂଶଜ କହି ଗର୍ବ ଅନୁଭବ କରନ୍ତି । ସେ କହନ୍ତି, ରାଜା ହରିଶ୍ଚନ୍ଦ୍ରଙ୍କୁ ଆମ ପୂର୍ବପୁରୁଷ କାଲୁରାମ ଚଣ୍ଡାଳ କିଣିଥିଲେ । ତାଙ୍କ ପତ୍ନୀ ମଧ୍ୟ କାଲୁରାମ ଚଣ୍ଡାଳ ନିକଟରେ କାମ କରୁଥିଲେ । ରାତି ତୃତୀୟ ପ୍ରହରରେ ରାଜା ହରିଶ୍ଚନ୍ଦ୍ର ମଶାଣି ଜଗିଥିଲା ବେଳେ ତାଙ୍କ ପତ୍ନୀ ତାରା ପୁଅର ମୃତଦେହକୁ ଧରି ସେଠାରେ ପହଂଚିଲେ । ପୁଅର ଅନ୍ତିମ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର କଉଡ଼ି ମାଗିବାରୁ ତାରା ତାଙ୍କ ପିନ୍ଧା ଶାଢ଼ୀର ପଣତ କାନିଟିକୁ ଚିରି ପାଉଣା ପଇଠ କରିଥିଲେ ।

ସେଦିନ ଫଗୁଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଥିଲା । ପତ୍ନୀଙ୍କୁ ଚିହ୍ନି ପାରିଥିଲେ ମଧ୍ୟ ବିନା କଉଡ଼ିରେ ପୁଅର ଶବକୁ ସଂସ୍କାର ପାଇଁ ଅନୁମତି ଦେଇ ନଥିଲେ ରାଜା ହରିଶ୍ଚନ୍ଦ୍ର । ରାଜାଙ୍କ ସତ୍ୟବାଦୀତା ଦେଖି ଭଗବାନ ବିଷ୍ଣୁ ସାକ୍ଷାତ ଉଭା ହେଲେ । ଦୁହିଁଙ୍କୁ ଦେଖା ଦେଇ ଭଗବାନ ବିଷ୍ଣୁ କହିଲେ, ହେ ରାଜନ, ତୁମର ତପସ୍ୟା ସଫଳ ହୋଇଛି । ଯୁଗେ ଯୁଗେ ତୁମେ ଅମର ରହିବ ଓ ଦୁନିଆ ତମକୁ ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ର ନାମରେ ଜାଣିବ । ହରିଶ୍ଚନ୍ଦ୍ର ଘାଟରେ ଆଜି ମଧ୍ୟ ଭଗବାନ ବିଷ୍ଣୁଙ୍କ ପାଦୁକା ଚିହ୍ନ ରହିଛି । ହରିଶ୍ଚନ୍ଦ୍ର ଘାଟର ଚିତା ପାଉଁଶରୁ ମଶାଣି ହୋଲି ଶୁଭାରମ୍ଭ ହୋଇଥାଏ ।

SAMSAN HOLI
SAMSAN HOLI

ମଣିକର୍ଣ୍ଣିକା ଘାଟର ଚଣ୍ଡାଳ ଲୋକେଶ ଚୌଧୁରୀ କହନ୍ତି, ରଙ୍ଗଭରା ଏକାଦଶୀ ଦିନ ମାତା ପାର୍ବତୀଙ୍କୁ ସାଙ୍ଗରେ ଧରି ଭଗବାନ ଶିବ କାଶୀରେ ପହଂଚିଲେ । ନନ୍ଦିଭୃଙ୍ଗୀ ପ୍ରଭୃତି ଗଣଙ୍କ ସହ ଖୁସିରେ ହୋଲି ଖେଳିଥିଲେ । ମାତ୍ର ମଶାଣି ବାସିନୀ ଭୂତପ୍ରେତ, ପିଶାଚ, କିନ୍ନର ଓ ଅନ୍ୟ ଜୀବଜନ୍ତୁଙ୍କ ସହିତ ହୋଲି ଖେଳି ନଥିଲେ । ମଶାଣିବାସୀଙ୍କ ଅନୁରୋଧ ରକ୍ଷା କରି ମହାଦେବ ରଙ୍ଗଭରା ଏକାଦଶୀ ତିଥି ପରଦିନ ଚିତା ପାଉଁଶରେ ଭୂତ ପିଶାଚଙ୍କ ସହ ହୋଲି ଖେଳିଥିଲେ । ସେହିଦିନଠାରୁ କାଶୀରେ ମଶାଣି ହୋଲି ଆୟୋଜିତ ହୋଇଆସୁଛି ।
ହରିଶ୍ଚନ୍ଦ୍ର ଘାଟରେ ଶିବଙ୍କର ମନ୍ଦିରଟିଏ ଅଛି । ତାକୁ ମଶାଣି ମନ୍ଦିର କୁହାଯାଏ । ସକାଳୁ ଉତ୍ସବର ମାହୋଲ ଜମିଯାଏ । ଶିବଲିଙ୍ଗ ଉପରେ କ୍ଷୀର, ଦହି, ମହୁ, ଫଳ, ଫୁଲ, ମାଳା, ଭାଙ୍ଗ, ଗଞ୍ଜେଇ, ଚିତା ପାଉଁଶ ଲାଗି କରାଯାଏ । ପାଂଚଜଣ ପୁଜାରୀ ରୁଦ୍ରାଭିଷେକ କରନ୍ତି । ତା’ପରେ ବାବାଙ୍କୁ ଧୋତି ଓ ମୁକୁଟ ପିନ୍ଧା ଯାଇଥାଏ । ବର୍ଷକରେ ଗୋଟିଏ ଦିନ ବାବା ମଶାଣି ମୁକୁଟ ପିନ୍ଧନ୍ତି ।

ସହର ପରିକ୍ରମା ପାଇଁ ରଥଟିଏ ସଜା ଯାଇଥାଏ । ଗୋଟିଏ ପୁଅକୁ ଶିବ ଓ ଗୋଟିଏ ଝିଅକୁ ପାର୍ବତୀ ବେଶରେ ସଜାଇ ଚିତା ସାମ୍ନାରେ ପୂଜାର୍ଚ୍ଚନା କରାଯାଏ । ତା’ପରେ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥାଏ । ଆଜିକାଲି ଶୋଭାଯାତ୍ରାରେ ବହୁ ମହିଳାଙ୍କୁ ଦେଖିବାକୁ ମିଳୁଛି । ମୁଣ୍ଡରେ ମୁକୁଟ, ହାତରେ ତ୍ରିଶୂଳ, କଟୁରୀ, ମୁହଁରେ କଳା ଓ ନାଲିରଙ୍ଗ ବୋଳି ହୋଇ, ଜିଭ ବାହାର କରି ସାକ୍ଷାତ ମାତା କାଳୀଙ୍କ ଭଳି ବେଶଭୂଷା ଧାରଣ କରି ଶୋଭାଯାତ୍ରାରେ ସାମିଲ ହୁଅନ୍ତି ।