Lord Shiva : ଏହି ଠାକୁରଙ୍କ ମନ୍ତ୍ରକୁ ଧାରଣ କରନ୍ତୁ, ସକଳ ସୁଖ ଲାଭ କରନ୍ତୁ
ସାମାନ୍ୟ ଠାକୁର ନୁହନ୍ତି ଭଗବାନ ଶିବ
ଭଗବାନ ଶିବଙ୍କୁ ମାମୁଲି ଠାକୁର ମଣିବା! ୟେ ସଚରାଚର ସୃଷ୍ଟି ତାଙ୍କରି ନିକଟରୁ । ତାଙ୍କ ନାମରେ ସଂସାର ଚାଲେ, ତାଙ୍କ କ୍ରୋଧରେ ପ୍ରମାଦ ଗଣେ ୟେ ସଂସାର । ସେ ଭକ୍ତଙ୍କୁ ସୁରକ୍ଷା ପ୍ରଦାନ କରନ୍ତି । ସେ ସୃଷ୍ଟିକୁ ଜାଳିପୋଡ଼ି ଛାରଖାର କରି ଦିଅନ୍ତି । ତାଙ୍କ ଦୃଷ୍ଟି ପଡ଼ିଲେ, ଭୂତପ୍ରେତ ପିଶାଚ, ଡାହାଣୀ ଚିରୁଗୁଣୀ ଯୋଗିନୀ, ଡାକିନୀ ଭଳି ଦୁଷ୍ଟ ଶକ୍ତିଗୁଡ଼ିକ ହାତଯୋଡ଼ି କାତର ପ୍ରାର୍ଥନା କରନ୍ତି ।
ଘନ ଜଙ୍ଗଲରେ ଶିବଙ୍କ ନାମ ଏକମାତ୍ର ସୁରକ୍ଷା କବଚ ଭଳି କାମ କରେ । ସେ ସଦାଶିବ, ସେ ରୁଦ୍ରାବତାର, ସେ ଆଶୁତୋଷ, ସେ ଦୟା ଓ କରୁଣାର ଗନ୍ତାଘର । ଭଗବାନ ଶିବଙ୍କ କରୁଣାର ପଟାନ୍ତର ନାହିଁ ।
ଆପଣଙ୍କ ଶାନ୍ତି ହରଣ କରି ନେଉଥିବା ଶତ୍ରୁ ପାଇଁ ଭଗବାନ ଶିବ ତୃତୀୟ ନୟନ ଖୋଲି ପାରନ୍ତି । ଭଗବାନ ଶିବଙ୍କ କରୁଣା ପାଇବାକୁ ହେଲେ, କେତେଗୁଡ଼ିଏ ଶକ୍ତିଶାଳୀ ମନ୍ତ୍ରକୁ ଜୀବନର ଜପାମାଳି କରନ୍ତୁ । ଆପଣଙ୍କୁ ରୋଗଶୋକ ଯନ୍ତ୍ରଣାରୁ ମୁକ୍ତି ମିଳିଯିବ, ଅଭାବ ବୋଲି କିଛି ରହିବନି । ଭଗବାନ ଶିବଙ୍କୁ ଆପଣ ଶଶ୍ମାନବାସୀ ମଣିପାରନ୍ତି, କିନ୍ତୁ ଥରେ ଭାବିଲେ ଦେଖି, ଯୋଉ ପରମପିତା ପିଲାଙ୍କ ଜୀବନକୁ ସରସ ସୁନ୍ଦରମୟ କରିବା ପାଇଁ ମଶାଣିକୁ ଘର କରି ପାରନ୍ତି । ସେହି ମହାପ୍ରଭୁ ସଦାଶିବଙ୍କ ତୁଳନୀୟ ଆଉ କୋଉ ଠାକୁର ଠାକୁରାଣୀ ଅଛନ୍ତି?
ମହାଦେବଙ୍କ ପ୍ରିୟ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଜୀବନର ଜପାମାଳି କରନ୍ତୁ । ‘ଓଁ ତ୍ର୍ୟମ୍ବକମ୍ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍, ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୁମୁଖିୟୋ ମାମୃତାତ୍ ।’
ମହାଦେବଙ୍କ ରୁଦ୍ରଗାୟିତ୍ରୀ ମନ୍ତ୍ର ମଧ୍ୟ ଆପଣଙ୍କୁ ସକଳ ପ୍ରକାର ସୁଖଶାନ୍ତି ଐଶ୍ୱର୍ଯ୍ୟ ପ୍ରଦାନ କରିପାରେ । ‘ଓଁ ତତ୍ପୁରୁଷାୟ ବିଦ୍ମହେ ମହାଦେବାୟ ଧିମହି ତନ୍ନୋ ରୁଦ୍ର ପ୍ରଚୋଦୟାତ୍’ ।
ମହାଦେବଙ୍କ ଧ୍ୟାନ ମନ୍ତ୍ରକୁ ମନରେ ଧାରଣ କରନ୍ତୁ । ‘ଓଁ ନମଃ ଶିବାୟ ଶାନ୍ତାୟ କାଳସ୍ୱରୁପାୟ ନମଃ’ । ଆଉ ଗୋଟିଏ ମନ୍ତ୍ର ଉଲ୍ଲେଖ କରୁଛୁ ଯାହା ଆପଣଙ୍କ ପାଇଁ ମହାକବଚ ଭଳି କାମ କରିବ । ‘କର୍ପୁର ଗୌରଂ କରୁଣାବତାରଂ ସଂସାର ସାରଂ ଭୁଜଗେନ୍ଦ୍ର ହାରମ୍, ସଦା ବସନ୍ତଂ ହୃଦୟାର ବିନ୍ଦେ ଭବଂ ଭବାନୀ ସହିତଂ ନମାମି ।’