କାଶୀରେ ମଶାଣି ହୋଲି: ବେକରେ ମଣିଷ ଖପୁରୀ ମାଳ

ସାରା ଶରୀରରେ ଚିତା ପାଉଁଶ, ଶିବଙ୍କ ବରଯାତ୍ରୀ

ନୂଆଦିଲ୍ଲୀ: ଫଗୁଣ ମାସରେ ରଙ୍ଗର ପର୍ବ ଫଗୁ ଦଶମୀ, ଦୋଳ ପୂର୍ଣ୍ଣମୀ ଓ ହୋଲିକା ଦହନକୁ ନେଇ ସାରା ଦେଶ ମୁଖରିତ । ହୋଲି ମହୋତ୍ସବର ଚାରିଦିନ ପୂର୍ବରୁ କାଶୀ ବିଶ୍ୱନାଥଙ୍କ ପୀଠରେ ଏ କି ଶୋଭାଯାତ୍ରା । ବେକରେ ମଣିଷ ଖପୁରୀ ମାଳ, ସାପ ପକାଇ ହଜାର ହଜାର ଅଘୋରୀ ସାଧୁ ଭଗବାନ ଶିବଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ଚାଲିଛନ୍ତି । ଫୂୁଙ୍ଗୁଳା ଦେହରେ ଚିତା ପାଉଁଶ ବୋଳା ହୋଇଛି । ହାତରେ ତ୍ରିଶୂଳ, ଡମ୍ବରୁ, ମଣିଷ ଖପୁରୀ ଧରିଛନ୍ତି । କାଶୀର ଏହି ଶୋଭାଯାତ୍ରାରେ ସାମିଲ ହୋଇ ମହାଦେବଙ୍କ ଆଶୀର୍ବାଦ ନେବା ପାଇଁ ଦେଶବିଦେଶରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଖାସ୍‌ ସେହି କାରଣରୁ କାଶୀ ଓ ତା’ର ଆଖପାଖରେ ପ୍ରତିଷ୍ଠିତ ସବୁ ଛୋଟବଡ଼ ତାରକା ହୋଟେଲ, ଲଜିଂ, ଗେଷ୍ଟ ହାଉସ୍‌, ଧର୍ମଶାଳାଗୁଡ଼ିକ ଫୁଲ ବୋବାଲ ।

ବସଷ୍ଟାଣ୍ଡ, ରେଳଷ୍ଟେସନ ଓ ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ତିଆରି ଅସ୍ଥାୟୀ ଶିବିରରେ ତୀର୍ଥଯାତ୍ରୀଙ୍କ ଭିଡ । କାଶୀ ହରିଶ୍ଚନ୍ଦ୍‌୍ର ଘାଟରେ ଦିବାନିଶି ଚିତାଭସ୍ମ ଜଳୁଛି । ସେଇ ଚିତା ପାଉଁଶକୁ ଦେହରେ ମାଖି ହୋଇ, ଦୁଇହାତରେ ମୁଠାମୁଠା ଚିତା ପାଉଁଶ ଧରି ପବନରେ ଉଡ଼ାଇ ମହାଦେବଙ୍କ ବରଯାତ୍ରୀ ହେବାକୁ ସମସ୍ତେ ଆଗ୍ରହୀ । କିଛି ଅଘୋରୀ ବାବା ଓଠରେ ଜିଅନ୍ତା ସାପକୁ ଚାପି ଧରିଛନ୍ତି ତ କିଛି ହାତରେ ଗୁଡ଼ାଇ ହୋଇଛନ୍ତି । କିଛି ଲୋକ ପଶୁଛାଲ ଗୁଡ଼ାଇ ହୋଇ ହାତରେ ଡମ୍ବରୁ ଧରି ନାଚୁଛନ୍ତି । ଦେଖଣାହାରୀ ଓ ବରଯାତ୍ରୀ ସମସ୍ତେ ଏକାକାର । ଅଧିକାଂଶ ଦେଖଣାହାରୀ ଅଘୋରୀ ବାବାଙ୍କ ଭିତରୁ ଚିତା ପାଉଁଶ ନେଇ ତାକୁ ମଥାରେ ବୋଳି ଖୁସିରେ ଅଧିର ପ୍ରାୟ । କେହି ଖୁସିରେ କାନ୍ଦୁଛି ତ କେହି ଦୁଃଖରେ କାନ୍ଦୁଛି । କେହି ଆନନ୍ଦ ବିଭୋର ତ କେହି ଦୁଃଖରେ ବିଚଳିତ ।

ଏ କି ଅପୂର୍ବ ଆନନ୍ଦ! ମହାଦେବଙ୍କ ପବିତ୍ର ଶୋଭାଯାତ୍ରା ଚାଲିଛି କାଶୀ ରାଜଦାଣ୍ଡରେ । ଯୋଉ ଚିତା ପାଉଁଶକୁ ଲୋକମାନେ ଘୃଣା କରନ୍ତି; ସେଇ ପାଉଁଶ ଆଜି ସମସ୍ତଙ୍କୁ ମୁକତି ଆଡ଼କୁ ନେଇଯାଉଛି । ସେଇ ପାଉଁଶ ଆଜି କାଶୀ ବାୟୁମଣ୍ଡଳକୁ ପବିତ୍ର କରିଛି । ସେଇ ପାଉଁଶ ଟିକକ ପାଇଁ ଲୋକମାନେ ଧାଇଁ ଆସିଛନ୍ତି କାହିଁ କେତେ ଦୂରରୁ ।