ନୂଆଦିଲ୍ଲୀ: ଡିସେମ୍ବର ୨୫ ତାରିଖ । ବଡ଼ଦିନ ପର୍ବ ପାଳନ କରିବାର ଦିନଟିଏ । ଆଜଦିନରେ ମେଷପାଳକଙ୍କ ଗହଣରେ ଜନ୍ମ ନେଇଥିଲେ ଜଗତର ତ୍ରାଣକର୍ତା ପ୍ରଭୁ ଯୀଶୁ । ଖ୍ରୀଷ୍ଟିୟାନ ଧର୍ମର ପ୍ରବର୍ତକ । ଜଗତକୁ ଆଲୋକିତ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ଇତରଙ୍କ ଉଦ୍ଧାର ପାଇଁ ପିତରଙ୍କ ଜନ୍ମ । ଦଳିତ ଅବହେଳିତ ନିର୍ଯାତିତ ଶୋଷିତ ଲୋକଙ୍କ ପାଇଁ ସେ ଜୀବନ ତ୍ୟାଗ କରିଥିଲେ । ପ୍ରଭୁ ଯୀଶୁଙ୍କ ଭଳି ମହାନ୍ ଆତ୍ମା ନିଶ୍ଚିତ ରୂପେ ଭାରତର ମାଟି, ପାଣି ଓ ପବନରେ ଗଢ଼ା ।
ପୃଥିବୀର ଆଉ କୌଣସି ଦେଶର ମାଟିରେ ଜନ୍ମିତ ପୁତ୍ର ଏତେବଡ଼ ହୃଦୟର ଅଧିକାରୀ ହୋଇପାରିବ ନାହିଁ । ତା’ର ଜ୍ୱଳନ୍ତ ପ୍ରମାଣ ଆଜି ଇସ୍ରାଏଲ୍-ଜେରୁଜେଲମ ମଧ୍ୟରେ ହିଂସା ରକ୍ତପାତ । ଭାରତଭୂମିର ପ୍ରତିଟି କଣିକାରେ ସ୍ନେହ, ପ୍ରେମ କରୁଣା, ଦୟା, କ୍ଷମା, ଉଦାର ଭାବନା ଭରି ରହିଛି । ପ୍ରଭୁ ଯୀଶୁ ତାଙ୍କ ଜୀବଦଶାରେ ଏଇ ଉପାଦାନ ହିଁ ଦେଇ ଯାଇଛନ୍ତି । ସନ୍ଥକବି ଭୀମଭୋଇଙ୍କ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ଓ ପ୍ରଭୁ ଯୀଶୁଙ୍କ ‘ହେ ଈଶ୍ୱର, ସେମାନେ କ’ଣ କରୁଛନ୍ତି, ଜାଣି ପାରୁନାହାନ୍ତି, ସେମାନଙ୍କୁ କ୍ଷମା କରନ୍ତୁ’ ଭିତରେ ପାର୍ଥକ୍ୟ କିଛି ଅଛି କି? ପ୍ରଭୁ ଯୀଶୁ ନିଜକୁ କେବେ ଭଗବାନ ବୋଲି ପରିଚୟ ଦେଇନାହାନ୍ତି ।
ନିଜକୁ ଭଗବାନଙ୍କ ପୁତ୍ର ରୂପେ ପରିଚୟ ଦେଇଛନ୍ତି । ସନାତନ ଧର୍ମ ଓ ଖ୍ରୀଷ୍ଟିୟାନ ଧର୍ମ ଭିତରେ କିଛି ଫରକ ନାହିଁ । ସନାତନ ଧର୍ମର ଆରାଧ୍ୟ ଭଗବାନ ମହାଦେବଙ୍କ ତ୍ରିଶୂଳ ଓ ଖ୍ରୀଷ୍ଟଧର୍ମର କ୍ରଶ ଭିତରେ କିଛି ଫରକ୍ ନାହିଁ । ଦୁଇଟି ଯାକ ଧର୍ମର ଗୋଟିଏ ମନ୍ତ୍ର-ଉଦାର ପଣିଆ । ସମାଜର ବଡ଼ପଣ୍ଡାଙ୍କ ହୀନ ଚକ୍ରବ୍ୟୁହ ଭିତରେ ସନାତନ ଧର୍ମ ତା’ର ପବିତ୍ର ଭାବନା ଓ ଉଦାର ସ୍ପର୍ଶରେ ଦଳିତ ଲୋକଙ୍କୁ ଉଦ୍ଧାର କରି ପାରିଲାନି ।
ଅସ୍ପୃଶ୍ୟତାର ଅନ୍ଧଗଳିରେ କାଳାତିପାତ କରୁଥିବା ଲୋକମାନଙ୍କୁ ମନ୍ଦିର ଭିତରକୁ ପଶିବାର ଅଧିକାର ଦିଆଗଲାନି । ବେଦପାଠ କରିବାର ଅଧିକାର ଦିଆଗଲାନି । ମନ୍ତ୍ର ଉଚ୍ଚାରଣ କରିବାର ଅଧିକାର କେବଳ ବ୍ରାହ୍ମଣଙ୍କୁ ଦିଆଗଲା । ବ୍ରାହ୍ମଣ ଶବ୍ଦର ପ୍ରକୃତ ଅର୍ଥକୁ କଦର୍ଥ କରି ଦିଆଗଲା । ଠିକ୍ ସେହି ସମୟରେ ପ୍ରଭୁ ଯୀଶୁଙ୍କର ଆବିର୍ଭାବ ଘଟିଛି ।
ସେଇ ପବିତ୍ର ଆତ୍ମାଙ୍କ ପରମ ସ୍ପର୍ଶରେ ଉଦ୍ଧାର ଲଭିଛନ୍ତି ବହୁ ଦଳିତ ଇତର ପ୍ରାଣୀ । ଏତେ ଯନ୍ତ୍ରଣା ପାଇଥିବା ସତ୍ୱେ ପ୍ରଭୁ ଯୀଶୁ ପୁଣି ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତାଙ୍କଠାରୁ ବଳି ମହାନ୍ ତ୍ୟାଗୀ ଆଉ ଦ୍ୱିତୀୟ ମିଳିବେନି । ସେ ହିଁ ଅଦ୍ୱିତୀୟ, ଅବ୍ୟକ୍ତ, ଅଚ୍ୟୁତ । ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ।