ମସଜିଦ ତଳେ ମନ୍ଦିର! ରିପୋର୍ଟ ଲୋଡ଼ିଲେ କୋର୍ଟ

ମସଜିଦ ଗାତ୍ରରେ ହିନ୍ଦୁ ସ୍ଥାପତ୍ୟ କଳା ଥିବାର ପ୍ରମାଣ ରହିଛି….

ମଥୁରା: ଶ୍ରୀକୃଷ୍ଣ ଜନ୍ମଭୂମି ଓ ମସଜିଦ ବିବାଦ କ୍ରମେ ଜିଲ୍ଲା କୋର୍ଟରେ ଭିନ୍ନ ମୋଡ଼ ନେଇଛି । ବାରାଣସୀର ଜ୍ଞାନବାପୀ ପରିସର ଭଳି ମସଜିଦର ସର୍ବେକ୍ଷଣ କରାଯିବ । ହିନ୍ଦୁ ସେନା ପକ୍ଷରୁ ଆଗତ ପିଟିସନର ଶୁଣାଣି କରି କୋର୍ଟ ଏହି ନିଷ୍ପତି ଶୁଣାଇଛନ୍ତି । ଜାନୁଆରୀ ୨ ତାରିଖରୁ ସର୍ଭେ କାମ ଆରମ୍ଭ କରାଯିବ । ୨୦ ତାରିଖ ସୁଦ୍ଧା ସର୍ବେକ୍ଷଣ ରିପୋର୍ଟ ଦାଖଲ କରାଯିବ । ପିଟିସନରେ ହିନ୍ଦୁସେନା ଜଣାଇଛି, ମସଜିଦରେ ସ୍ୱସ୍ତିକ ଚିହ୍ନ ରହିଥିବାରୁ ଉକ୍ତ ସ୍ଥାନରେ ମନ୍ଦିର ଥିବା କ୍ରମେ ଦୃଢ଼ୀଭୂତ ହୋଇଛି ।

ମସଜିଦ ତଳେ ମନ୍ଦିର ଗର୍ଭଗୃହ ଅଛି ବୋଲି ଯୁକ୍ତି କରିଛନ୍ତି ଓକିଲ ମହେନ୍ଦ୍ର ପ୍ରତାପ । ମସଜିଦ ଗାତ୍ରରେ ହିନ୍ଦୁ ସ୍ଥାପତ୍ୟ କଳା ଥିବାର ପ୍ରମାଣ ରହିଛି । ବୈଜ୍ଞାନିକ ସର୍ବେକ୍ଷଣରୁ ବାସ୍ତବ ସତ୍ୟ ଲୋକ ଲୋଚନକୁ ଆସିବ । ପିଟିସନ୍‌ ମୁତାବକ, ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଅନ୍ତର୍ଗତ ୧୩.୩୭ ଏକର ଜମିରେ ଥିବା ମନ୍ଦିରଟିକୁ ମୋଗଲ ସମ୍ରାଟ୍‌ ଆଉରଙ୍ଗଜେବ ଭାଙ୍ଗି ମସଜିଦ ନିର୍ମାଣ କରିଥିଲେ । ହିନ୍ଦୁସେନା ପକ୍ଷରୁ ୧୯୬୮ରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂଘ ଓ ମସଜିଦ କମିଟି ମଧ୍ୟରେ ହୋଇଥିବା ବୁଝାମଣାକୁ ଚାଲେଞ୍ଜ କରାଯାଇଛି ।