ଅକ୍ସିଜେନ୍‌ ଓ ଭେଂଟିଲେଟର ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ

ବିଏଫ୍‌-୭କୁ ଭୟ କରିବାର ନାହିଁ: ଗୁଲେରିଆ….

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସବୁ ରାଜ୍ୟ ସରକାରଙ୍କୁ ଚାହିଦା ମୁତାବକ ଅକ୍ସିଜେନ୍‌ ଓ ଭେଂଟିଲେଟର ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଛି କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପଠା ଯାଇଥିବା ଚିଠିରେ ଲେଖାଯାଇଛି, ଦେଶରେ କରୋନା ଗତି ଅତି ମନ୍ଥର । କିନ୍ତୁ ଆସନ୍ତାକାଲି ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । କୌଣସି କରୋନା ରୋଗୀ ଯେପରି ଅକ୍ସିଜେନ୍‌ ଓ ଭେଂଟିଲେଟର କାରଣରୁ ବିପଦରେ ନପଡ଼ନ୍ତି, ସେଥିପ୍ରତି ସଜାଗ ରହିବାକୁ ପଡ଼ିବ ।

ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଦରକାର ମୁତାବକ ଅକ୍ସିଜେନ୍‌ ଓ ଭେଂଟିଲେଟର ଯୋଗାଣ ମେସିନ୍‌ ସାଇତି ରଖିବାକୁ ପଡ଼ିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡବିୟ କହିଛନ୍ତି, ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କର ଆରଟି-ପିସିଆର ଟେଷ୍ଟ ଜରୁରୀ କରାଯାଇଛି ।

ସଂପୃକ୍ତ ଦେଶର ଯାତ୍ରୀଙ୍କ ନିକଟରେ କୋଭିଡ୍‌-୧୯ ପଜିଟିଭ ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ସେମାନଙ୍କୁ ଏକାନ୍ତବାସରେ ରହିବାକୁ ପଡ଼ିବ । ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ଭାରତକୁ ବିଏଫ୍‌-୭ ଭୂତାଣୁକୁ ଭୟ କରିବାର ନାହିଁ । ଆମ ଲୋକଙ୍କ ନିକଟରେ ପ୍ରତିଷେଧକ ଶକ୍ତି ଅଧିକ ରହିଛି । ତେଣୁ ଆନ୍ତର୍ଜାତିକ ବିମାନ ଉଡ଼ାଣକୁ ବାତିଲ କରିବା ଦରକାର ନାହିଁ ।