ଦକ୍ଷିଣ ଭାରତରେ ସଦାଶିବ ବ୍ରହ୍ମେନ୍ଦ୍ର ନାମରେ ଜଣେ ପ୍ରସିଦ୍ଧ ନିର୍କାୟା ଯୋଗୀ ଥିଲେ । ଯାହାର ଆଭିଧାନିକ ଅର୍ଥ ହେଲା – “ ଶରୀରରହିତ ଯୋଗୀ ” । ନିଜ ଶରୀର ପ୍ରତି ତାଙ୍କର କୌଣସି ଚେତନା ନଥିଲା । ଏହି ଅବସ୍ଥାରେ ସାଧକ ବସ୍ତ୍ର ପରିଧାନକୁ ମଧ୍ୟ ଭୁଲିଯାଇଥାନ୍ତି । ତେଣୁ ସେ ନଗ୍ନ ବିଚରଣ କରୁଥିଲେ । ଏହି ଅବସ୍ଥାରେ ଘର, ସମ୍ପତ୍ତି କିମ୍ବା ଶାରୀରିକ ପରିସୀମାର ମଧ୍ୟ ଜ୍ଞାନ ରହିନଥାଏ ।
ଦିନେ, ସେ କାବେରୀ ନଦୀକୂଳରେ ବୁଲୁବୁଲୁ ରାଜାଙ୍କ ବଗିଚା ଭିତରକୁ ଚାଲିଗଲେ । ରାଜା ସେଠାରେ ବସି ନିଜ ରାଣୀମାନଙ୍କ ସହ ଆରାମ କରୁଥିଲେ । ନିଜ ନଗ୍ନତା ପ୍ରତି ଅଚେତନ ଥିବା ସଦାଶିବ ବ୍ରହ୍ମେନ୍ଦ୍ର ବଗିଚାରେ ଘୂରିବୁଲିଲେ । ଏହା ଦେଖି, କ୍ରୋଧ ଜର୍ଜରିତ ହୋଇ ରାଜା କହିଲେ, “ କିଏ ଏହି ମୂର୍ଖ, ମୋର ରାଣୀମାନଙ୍କ ସମ୍ମୁଖରେ ଉଲଗ୍ନହୋଇ ଭ୍ରମଣ କରିବାର ସାହସ କଲା କିପରି ?”
ତାଙ୍କୁ ଧରିନେବା ପାଇଁ ରାଜା ନିଜର ସିପାହି ପଠାଇଲେ । ଡାକ ପକାଇ ସିପାହିମାନେ ସଦାଶିବ ବ୍ରହ୍ମେନ୍ଦ୍ରଙ୍କ ପଛରେ ଦୌଡ଼ିଲେ । ସେ ପଛକୁ ଚାହିଁନଥିଲେ । ତାଙ୍କର ଚାଲିବା ଜାରି ରହିଥିଲା । କ୍ରୋଧିତ ହୋଇ ଜଣେ ସିପାହି ନିଜର ଖଣ୍ଡା ବାହାର କଲା ଏବଂ ତାଙ୍କୁ ଆଘାତ କଲା । ଖଣ୍ଡାଚୋଟରେ ତାଙ୍କର ଡାହାଣ ହାତଟି ଛିଣ୍ଡି ତଳେ ପଡ଼ିଗଲା । କିନ୍ତୁ ସଦାଶିବ ବ୍ରହ୍ମେନ୍ଦ୍ରଙ୍କ ଚାଲିରେ ଟିକିଏ ମନ୍ଥରତା ମଧ୍ୟ ଆସିନଥିଲା । ପୂର୍ବପରି ତାଙ୍କର ଚାଲିବା ଜାରିରହିଲା ।
ଏହା ଦେଖି ସିପାହିମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଭୟଭୀତ ହେଲେ । ସେମାନଙ୍କୁ ଜଣାପଡ଼ିଗଲା ଯେ ସଦାଶିବ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି । ରାଜା ଏବଂ ତାଙ୍କର ସିପାହିଗଣ ତାଙ୍କ ପଛରେ ଅନୁଧାବନ କଲେ, ପାଦତଳେ ପଡ଼ି କ୍ଷମାପ୍ରାର୍ଥନା କଲେ ଏବଂ ତାଙ୍କୁ ବଗିଚାକୁ ପାଛୋଟି ଆଣିଲେ । ସେ ତାଙ୍କର ଅବଶିଷ୍ଟ ଜୀବନ ସେହି ବଗିଚାରେ କଟାଇଥିଲେ ଏବଂ ଶେଷରେ ସେହିଠାରେ ହିଁ ସେ ଦେହତ୍ୟାଗ କରିଥିଲେ ।
ଯୋଗ-ପରମ୍ପରାରେ ଏହିପରି ଅଗଣିତ ଦୃଷ୍ଟାନ୍ତ ରହିଛି । ଯେତେବେଳେ ଆପଣଙ୍କର ଉର୍ଜା ଏକ ଉଚ୍ଚତର ଅବସ୍ଥାରେ ରହିଥାଏ, ସେତେବେଳେ ଭୌତିକ ଅସ୍ତିତ୍ଵର ବୋଧଜ୍ଞାନ ଏତେ ପରିମାଣରେ କମିଯାଇଥାଏ ଯେ, ବ୍ୟକ୍ତି ବିନା କୌଣସି ବାହ୍ୟ ପୋଷଣରେ ଦିନଦିନ ଧରି ଜୀବିତ ରହିପାରିଥାଏ ।