ଜୀବନରେ ଆମକୁ ଦୁଇଟି ମାର୍ଗ ଉପଲବ୍ଧ ହୁଏ । ଗୋଟିଏ ହେଲା ସଂସାରର ମାର୍ଗ ,ସ୍ୱାର୍ଥର ମାର୍ଗ , ଭୋଗ ବିଳାସର ମାର୍ଗ। ଦ୍ଵିତୀୟ ହେଲା ମୋକ୍ଷର ମାର୍ଗ , ସଂଯମର ମାର୍ଗ, ପରୋପକାରର ମାର୍ଗ। ପ୍ରଥମ ରାସ୍ତା ଯେଉଁଟି ସଂସାର ଆଡ଼କୁ , ଭୋଗବିଳାସ ଆଡ଼କୁ ଟାଣି ନିଏ , ତାହା ଉତ୍ତମ ନୁହେଁ । କାରଣ ସେହି ପଥରେ ଜୀବନର ବିଶେଷ କିଛି ଉନ୍ନତି ହୋଇପାରେ ନାହିଁ । ପଶୁପକ୍ଷୀଙ୍କ ପରି ତାର ଜୀବନ ଅତିବାହିତ ହୁଏ । ଯେମିତି ପଶୁପକ୍ଷୀ ନିଜର ଖାଦ୍ୟ ସଂଗ୍ରହ କରିବା ପାଇଁ ଏପଟ ସେପଟ ବୁଲି କିଛି ପରିଶ୍ରମ କରନ୍ତି , ରାତିରେ ଶୋଇପଡ଼ନ୍ତି , ଅଣ୍ଡା ଦେଇ ଛୁଆ ଜନ୍ମ କରନ୍ତି , ସେମାନଙ୍କର ଲାଳନ ପାଳନ କରନ୍ତି , ପୁଣି ବୁଢ଼ା ହୋଇ ମୃତ୍ୟୁକୁ ପ୍ରାପ୍ତ ହୁଅନ୍ତି ।
ଏହିପରି ଯେଉଁ ମନୁଷ୍ୟ ଭୌତିକ ପଦାର୍ଥ ଓ ସାଂସାରିକ ବିଷୟବସ୍ତୁରେ ସୁଖ ଖୋଜନ୍ତି , ସାରା ଜୀବନ ଏସବୁ ସଂଗ୍ରହ କରିବାରେ ଖର୍ଚ୍ଚ କରିଦିଅନ୍ତି , ସେମାନେ ମଧ୍ୟ ପଶୁଙ୍କ ଠାରୁ ଅଧିକ କିଛି କରନ୍ତି ନାହିଁ । ଯେଉଁମାନେ ପଶୁଙ୍କ ଭଳି ସେତିକି କାମ କରନ୍ତି, ସେମାନଙ୍କ ଜୀବନ ମଧ୍ୟ ପଶୁଙ୍କ ପରି ବ୍ୟତୀତ ହୁଏ । ତେଣୁ ସେହି ମାର୍ଗ ଭଲ ନୁହେଁ ।
କିନ୍ତୁ ଈଶ୍ଵରଙ୍କ କୃପାରୁ ଆମକୁ ମନୁଷ୍ୟ ଜନ୍ମ ମିଳିଛି । ଆମକୁ ଏହାର ଲାଭ ନେବା ଉଚିତ । ଆମେ ସେହି ସବୁ କାର୍ଯ୍ୟ କରିବା ଉଚିତ ଯାହା କି ପଶୁପକ୍ଷୀ କରିପାରନ୍ତି ନାହିଁ । ଯେଉଁ କାର୍ଯ୍ୟ ସବୁ କରିବା ପାଇଁ ବିଶେଷ ବୁଦ୍ଧି , ଇଚ୍ଛା ଶକ୍ତି , ପରୋପକାରର ଭାବନା ଆଦି ଗୁଣର ଆବଶ୍ୟକତା ପଡ଼େ । ସେସବୁ କାର୍ଯ୍ୟ ଗୁଡିକ ହେଲା ପରୋପକାର କରିବା , ମାତା ପିତାଙ୍କର ସେବା କରିବା , ଅନୁଶାସନ ପାଳନ କରିବା , ଆତ୍ମା ପରମାତ୍ମାଙ୍କୁ ଜାଣିବାର ଚେଷ୍ଟା କରିବା , ଜନ୍ମ ମରଣ ଚକ୍ରରୁ ରକ୍ଷା ପାଇବା ଓ ପୂର୍ଣ୍ଣାନନ୍ଦ ପ୍ରାପ୍ତି କରିବା ପାଇଁ ଚେଷ୍ଟା କରିବା । ଏସବୁ କିଛି ବିଶେଷ କାର୍ଯ୍ୟ ଯେଉଁଗୁଡିକ କେବଳ ମନୁଷ୍ୟ ହିଁ କରିପାରିବ , ପଶୁପକ୍ଷୀ ନୁହେଁ ।
ଅନେକ ଜନ୍ମର ନିଷ୍କାମ କର୍ମ ଓ ଭଗବତ ଉପାସନାର ଫଳ ସ୍ୱରୂପ ଈଶ୍ବରଙ୍କ କୃପାରୁ ଆମକୁ ମନୁଷ୍ୟ ଯୋନିରେ ଜନ୍ମ ହେବାର ସୌଭାଗ୍ୟ ମିଳିଛି । ଏହି ଯୋନିରେ ବୁଦ୍ଧି , ବାଣୀ,ଦୁଇଟି ହାତ, କର୍ମ କରିବାର ସ୍ୱାତନ୍ତ୍ର୍ୟତା , ବେଦ,ଉପନିଷଦ, ପୁରାଣ ଇତ୍ୟାଦିର ଜ୍ଞାନ ଇତ୍ୟାଦି ଅନେକ ସୁବିଧା ଆମକୁ ମିଳିଛି , ଯାହାକି ଅନ୍ୟ କୌଣସି ପ୍ରାଣୀଙ୍କୁ ମିଳିନାହିଁ । ତେଣୁ ମନୁଷ୍ୟ ଜୀବନରେ ସଫଳତା ଆଣିବା ପାଇଁ ଏହି ସବୁ ବିଶେଷ ସୁବିଧାର ଲାଭ ଉଠାଇ ଆମକୁ ମୋକ୍ଷର ମାର୍ଗରେ ଚାଲିବା ପାଇଁ ତତ୍ପର ହେବା ଆବଶ୍ୟକ । ଏହି ଶ୍ରେୟମାର୍ଗରେ ଅଗ୍ରସର ହେବା ଦ୍ୱାରା ଆମକୁ ମୋକ୍ଷର ଆନନ୍ଦ ପ୍ରାପ୍ତି ହେବା ସହିତ ସାଂସାରିକ ସୁଖ ବି ମିଳିପାରିବ । କିନ୍ତୁ ପ୍ରେୟ ମାର୍ଗରେ କେବଳ ସାଂସାରିକ ସୁଖ ହିଁ ମିଳିବ ଯାହାକି ଅନେକ ଦୁଃଖ ଯୁକ୍ତ ହେବ । ତେଣୁ ବୁଦ୍ଧିମାନୀ ଜୀବ ହିସାବରେ ବିଚାର କରି ଦୁଇଟି ମାର୍ଗ ମଧ୍ୟରୁ ଉତ୍ତମ ମାର୍ଗ ବାଛି ଆମକୁ ସେଥିରେ ଅଗ୍ରସର ହେବାକୁ ପଡ଼ିବ ।