କେବେ ଖୋଲିବ ରତ୍ନଭଣ୍ଡାର

ଏହାରି ଭିତରେ ବଡ଼ ବୟାନ ଦେଇଛନ୍ତି ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ସେ କହିଛନ୍ତି, କେବେ ଖୋଲାଯିବ ରତ୍ନଭଣ୍ଡାର ସେନେଇ ଆସନ୍ତା ୯ ତାରିଖରେ ନିଷ୍ପତ୍ତି ନିଆଯିବ । ରତ୍ନଭଣ୍ଡାର କମିଟି ବୈଠକ ପରେ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି ।

ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ପରେ ଜଷ୍ଟିସ୍‌ ବିଶ୍ୱନାଥ ରଥ କହିଛନ୍ତି ଯେ, ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି । ୯ ତାରିଖ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ । ଚାବି ଉପସ୍ଥାପନ ହେଲା ପରେ କେବେ ରତ୍ନଭଣ୍ଡାର ଖୋଲାଯିବ ସେହିଦିନ ନିଷ୍ପତ୍ତି ନିଆଯିବ’। ବହୁ ଦଶନ୍ଧି ହେଲାଣି ରତ୍ନଭଣ୍ଡାର ତାଲା ଖୋଲା ଯାଇନାହିଁ । ଯଦି ଡୁପ୍ଲିକେଟ୍‌ ଚାବିରେ ନ ଖୋଲିଲେ ତେବେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ । ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍‌ଓପି ପ୍ରସ୍ତୁତ କରାଯିବ । ଆଉ ଏହି ଏସ୍‌ଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ ବୋଲି ବୈଠକ ପରେ କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।

ଏହାପରେ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ମଣତି ଗଣତି କରାଯିବ । କିନ୍ତୁ ମରାମତି କାମ ପାଇଁ ଆବଶ୍ୟକ ପଡିଲେ ସୁନା ଅଳଙ୍କାରକୁ କେଉଁଠାରେ ସୁରକ୍ଷିତ ରଖାଯିବ ତାହା ମ ଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେବେ ମଣତି ଗଣତି ପାଇଁ ଜଣେ ଦକ୍ଷ ବଣିଆଙ୍କୁ ଅଣାଯିବ ଯିଏକି ଅଳଙ୍କାର ଗୁଡିକର ସଠିକ ଓଜନ କରିବା ସହ ଅଳଙ୍କାର ଗୁଡିକର ଚରିତ୍ର ନିର୍ଦ୍ଧାରଣ କରିପାରିବେ’ । ତେବେ ୯ତାରିଖରେ ହିଁ ସ୍ପଷ୍ଟ ହେବ କେବେ ଖୋଲିବ ରତ୍ନଭଣ୍ଡାର ।