ଶାସ୍ତ୍ରୀଙ୍କ ଗୁଡ୍ବୁକରେ ସଞ୍ଜୁ
କାରଣ ୫ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି…
ନୂଆଦିଲ୍ଲୀ : ଆଉ କିଛି ମାସ ପରେ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ । ଏଥିପାଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗତ ବିଶ୍ୱକପରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । କିନ୍ତୁ ଏଥର ଭାରତ ପୂର୍ବବର୍ଷର ପ୍ରଦର୍ଶନ ଦୋହରାଇବ ନାହିଁ ବୋଲି ଆଶା କରାଯାଉଛି । ଏଥର ରୋହିତ ଶର୍ମାଙ୍କ ନେତୃତ୍ୱ ଓ କୋଚ ରାହୁଲ ଦ୍ରାବିଡଙ୍କ ତତ୍ତୱାବଧାନରେ ଦଳ ଅଭିଯାନ ଆରମ୍ଭ କରିବ । ତେବେ ଭାରତ ପାଇଁ ମୁଖ୍ୟ ସମସ୍ୟା ହେଉଛି ମିଡିଲ ଅର୍ଡର । କାରଣ ୫ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି ।
ତେବେ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ୫ ନମ୍ବର ସ୍ଥାନରେ କିଏ ଖେଳିବା ଦରକାର ସେନେଇ ପ୍ରତିକ୍ରିୟା ରଖିଛନ୍ତି । ଶାସ୍ତ୍ରୀ କହିଛନ୍ତି ଯେ, ରାହୁଲ ତ୍ରିପାଠୀ, ଶ୍ରେୟସ ଆୟର କିମ୍ବା ସଞ୍ଜୁ ସାମସନ ୫ ନମ୍ବର ପାଇଁ ଦାବିଦାର ଅଟନ୍ତି । ସେ ଆହୁରି କହିଛନ୍ତି ଯେ, ଅଷ୍ଟ୍ରେଲିଆ ପରିବେଶରେ ସଞ୍ଜୁ ସାମସନଙ୍କ ପାଖରେ ସବୁଠାରୁ ଅଧିକ ସଟ ରହିଛି । ତାଙ୍କୁ ବିଶ୍ୱକପ ଟିମରେ ସ୍ଥାନ ମିଳିବା ଆବଶ୍ୟକ ।