ଖେଳାଳିଙ୍କୁ ନେଇ ଚିନ୍ତାରେ ବିସିସିଆଇ!

ଅନେକ ପୂର୍ବତନ କ୍ରିକେଟର ବିଶ୍ୱକପରୁ ପନ୍ତଙ୍କୁ ବାଦ ଦେବା ପାଇଁ କହୁଛନ୍ତି…

ନୂଆଦିଲ୍ଲୀ : ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ପ୍ରସ୍ତୁତି ଚଳାଇଥିବା ବେଳେ କିଏ ଦଳରେ ସାମିଲ ହେବେ ଏବଂ କିଏ ବାଦ ପଡିବେ ତାହା ଚୟନକର୍ତ୍ତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅନେକ ଖେଳାଳିଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟିର ରହିଛି । ତେଣୁ ମ୍ୟାନେଜମେଣ୍ଟ କାହାକୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେବ, କାହାକୁ ସ୍କ୍ୱାଡରେ ସାମିଲ କରିବ ଏବଂ କେଉଁମାନଙ୍କୁ ବାଦ ଦିଆଯିବ ସେ ନେଇ ଟେନସନରେ ପଡିଯାଇଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଅନେକ ଖେଳାଳିଙ୍କୁ ପରୀକ୍ଷା କରିବ । ଯାହା ଫଳରେ ୧୫ ଜଣିଆ ସ୍କ୍ୱାଡଙ୍କୁ ବିଶ୍ୱକପ ସାମିଲ କରିପାରିବ । କିଛି ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି । ଏହା ସହିତ ଅନେକ କ୍ରିକେଟରଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି । ସୂଚନା ଅନୁସାରେ, ଆସନ୍ତା ସେପ୍ଟେମ୍ବର ୧୫ ପୂର୍ବରୁ ବିଶ୍ୱକପ ପାଇଁ ଚୟନ ଖେଳାଳିଙ୍କ ତାଲିକା ଆଇସିସିକୁ ଦେବାକୁ ହେବ ।

ଏ ନେଇ ସମସ୍ତ କ୍ରିକେଟ ବୋର୍ଡଙ୍କୁ ନିର୍ଦ୍ଦେଶ ଦିଆଯାଇସାରିଛି । ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପରେ କିଛି ଖେଳାଳିଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି । ବିଶେଷ କରି ୱିକେଟ କିପର ବ୍ୟାଟର ଋଷଭ ପନ୍ତ, ଶ୍ରେୟସ ଆୟର ଏବଂ ଭେଙ୍କଟେଶ ଆୟର ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଯାହାକି ଦ. ଆଫ୍ରିକା ସିରିଜରେ ଦେଖିବାକୁ ମିଳିଥିଲା । ଅନେକ ପୂର୍ବତନ କ୍ରିକେଟର ବିଶ୍ୱକପରୁ ପନ୍ତଙ୍କୁ ବାଦ ଦେବା ପାଇଁ କହୁଛନ୍ତି । ଅନ୍ୟପଟେ ହାର୍ଦ୍ଧିକ ଆହତ ଥିବାରୁ ତାଙ୍କ ସ୍ଥାନରେ ଭେଙ୍କଟେଶ ଆୟରଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ପାଣ୍ଡ୍ୟା ଫେରିବା ପରେ ଭେଙ୍କଟେଶଙ୍କ ପତ୍ତା କଟିବାର ସମ୍ଭାବନା ଯଥେଷ୍ଟ ରହିଛି ।

ସେହିଭଳି ଦିନେଶ କାର୍ତ୍ତିକ ଏବେ ଦମଦାର ଫର୍ମରେ ଥିବାରୁ ସେ ବିଶ୍ୱକପରେ ସୁଯୋଗ ପାଇବା ଏକ ପ୍ରକାର ସ୍ପଷ୍ଟ ଜଣାପଡୁଛି । ସେହିଭଳି ବୋଲିଂ ବିଭାଗରେ ଦୀପକ ଚହର, କୁଲଦୀପ ଯାଦବ ଏବଂ ୱାଶିଂଟନ ସୁନ୍ଦର ବିଶ୍ୱକପ ପାଇଁ ଦଳରେ ସାମିଲ ହୋଇପାରନ୍ତି । ଆହତ କାରଣରୁ ଏହି ଖେଳାଳି ଦଳରୁ ବାଦ ପଡିଛନ୍ତି । ଯଦି ଚହର, କୁଲଦୀପ ଏବଂ ସୁନ୍ଦର ଠିକ ନହୁଅନ୍ତି ତେବେ ବିଶ୍ୱକପ ପାଇଁ ଏମାନଙ୍କୁ ମଧ୍ୟ ବାଦ ଦିଆଯିବ ।