ବିଶ୍ୱ ଆଥଲେଟିକ୍ସ ମିଟ୍ ପୂର୍ବରୁ କ୍ରୀଡ଼ାର ଚିରନ୍ତନ ମୂଲ୍ୟବୋଧ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ
ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବକ୍ତବ୍ୟ ପ୍ରଦାନ…
ଭୁବନେଶ୍ବର(ସାକ୍ସୀ ନ୍ୟୁଜ୍): କ୍ରୀଡ଼ାରେ ରେକର୍ଡ ଭାଙ୍ଗିଥାଏ ଓ ପଦକ ହାତବଦଳ ହୋଇପାରେ, କିନ୍ତୁ ଚରିତ୍ର, ଦୃଢ଼ତା ଓ ଶୃଙ୍ଖଳା ଚିରସ୍ଥାୟୀ। ଭୁବନେଶ୍ୱରରେ ହେବାକୁ ଥିବା ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଏହା କହିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ।ପ୍ରତିଯୋଗିତା ପୂର୍ବସନ୍ଧ୍ୟାରେ ଆୟୋଜିତ ସ୍ୱାଗତ ଭୋଜିରେ ଯୋଗଦେଇ ରାଜ୍ୟପାଳ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା କ୍ରୀଡ଼ାବିତ୍, ପ୍ରଶିକ୍ଷକ, ଅଧିକାରୀ ଓ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। କଳିଙ୍ଗ ଷ୍ଟାଡିୟମ୍ ଏକ ଉଚ୍ଚମାନର କ୍ରୀଡ଼ା ଉତ୍ସବର ସାକ୍ଷୀ ହେବାକୁ ପ୍ରସ୍ତୁତ ବୋଲି ରାଜ୍ୟପାଳ କହିଥିଲେ ।

ଏହି ପ୍ରତିଯୋଗିତାରେ ୨୭ଟି ଦେଶର ୨୦୦ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି।ଏହା କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ମାନବୀୟ ସାମର୍ଥ୍ୟର ଉତ୍ସବ ଏବଂ ସୀମା ସରହଦ ଅତିକ୍ରମ କରି ଲୋକଙ୍କୁ ଏକାଠି କରିବାରେ କ୍ରୀଡ଼ାର ଶକ୍ତିର ପ୍ରତୀକ ବୋଲି ରାଜ୍ୟପାଳ କହିଥିଲେ ।କ୍ରୀଡ଼ାବିତ୍ମାନେ ଦୃଢ଼ ମନୋଭାବରେ କିନ୍ତୁ ନ୍ୟାୟସଙ୍ଗତ ଭାବେ ପ୍ରତିଯୋଗିତାରେ ଅବତୀର୍ଣ ହେବା, ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମ୍ମାନ ଦେବା ଏବଂ ପ୍ରଦର୍ଶନର ସୁଯୋଗକୁ ଉପଭୋଗ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ପ୍ରତ୍ୟେକ ଦୌଡ଼, ଡିଆଁ ଓ ଥ୍ରୋ ପଛରେ ବର୍ଷ ବର୍ଷର ଶୃଙ୍ଖଳା, ତ୍ୟାଗ, ସଫଳତା-ବିଫଳତା ଓ କଠିନ ପ୍ରଶିକ୍ଷଣ ରହିଥାଏ ବୋଲି ରାଜ୍ୟପାଳ କହିଥିଲେ ।
ପ୍ରତ୍ୟେକ କ୍ରୀଡ଼ାବିତ୍ ଆଶାର ଜଣେ ଜଣେ ଦୂତ ବୋଲି ଅଭିହିତ କରି ରାଜ୍ୟପାଳ କହିଥିଲେ ଯେ, ସେମାନଙ୍କ ପ୍ରଦର୍ଶନ ଗାଁ, ସ୍କୁଲ ଓ ସହରରେ ଖେଳ ଦେଖୁଥିବା ଅନେକ ଶିଶୁଙ୍କୁ ପ୍ରେରଣା ଯୋଗାଇପାରିବ ।
ଓଡ଼ିଶାର ସାଂସ୍କୃତିକ ପରମ୍ପରା ସହ କ୍ରୀଡ଼ାକୁ ଯୋଡ଼ି ରାଜ୍ୟପାଳ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସମାବେଶୀ ମନୋଭାବ, ନମ୍ରତା ଓ ସେବାର ବାର୍ତ୍ତା ଦିଏ। ସେହିପରି କ୍ରୀଡ଼ା ଭାଷା, ଜାତୀୟତା ଓ ସଂସ୍କୃତିର ସୀମା ଅତିକ୍ରମ କରି ଲୋକଙ୍କୁ ଏକାଠି କରେ ବୋଲି କହିଥିଲେ ।
ଓଡ଼ିଶା ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଥିବା ଉଲ୍ଲେଖ କରି ରାଜ୍ୟପାଳ ହକି ବିଶ୍ୱକପ୍, ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍, ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍ ଏବଂ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ମିଟ୍ ଆୟୋଜନର ଉଦାହରଣ ଦେଇଥିଲେ। ୨୦୨୮ରେ ଓଡ଼ିଶା ୱାର୍ଲ୍ଡ ଆଥଲେଟିକ୍ସ ଏବଂ ଏସିଆନ୍ ଆଥଲେଟିକ୍ସ ଇନ୍ଡୋର ଚାମ୍ପିୟନଶିପ୍ ଆୟୋଜନ କରିବ ବୋଲି ମଧ୍ୟ ସୂଚନା ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସ୍ପୋର୍ଟିଂ ଇଣ୍ଡିଆ’ ର ଦୃଷ୍ଟିକୋଣକୁ ରାଜ୍ୟପାଳ ପ୍ରଶଂସା କରିବା ସହ କ୍ରୀଡ଼ାର ଉତ୍କର୍ଷ ପାଇଁ ଓଡ଼ିଶା ସରକାର, କ୍ରୀଡ଼ା ଓ ଯୁବସେବା ବିଭାଗ, ୱାର୍ଲ୍ଡ ଆଥଲେଟିକ୍ସ ଏବଂ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆର ପଦକ୍ଷେପକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆର ସିନିଅର ଭାଇସ ପ୍ରେସିଡେଣ୍ଟ ଶ୍ରୀମତୀ ଅଞ୍ଜୁ ବବି ଜର୍ଜ, ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆର ପ୍ଲାନିଂ କମିଟିର ଚେୟାରମ୍ୟାନ ତଥା ଏସ ଏଏଏଫର ପ୍ରେସିଡେଣ୍ଟ ଡ଼. ଲଳିତ କୁମାର ଭାନୋତ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-ତଥା- ଶାସନ -ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ ତଥା କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ. ୟେଦୁଲା ବିଜୟ ମଧ୍ୟ ଉପସ୍ଥିତ ଥିଲେ ।