ବିଶ୍ବ ଚେସ୍ ରେ ଗ୍ରାଣ୍ଡ୍‌ ମାଷ୍ଟର୍‌ ଆର୍. ପ୍ରଜ୍ଞାନନନ୍ଦାଙ୍କ ରେକର୍ଡ

ନୂଆଦିଲ୍ଲୀ: ବିଶ୍ବର ୧ ନମ୍ବର ଚେସ୍‌ ଖେଳାଳି ମ୍ୟାଗ୍‌ନସ୍‌ କାର୍ଲାସେନ୍‌ଙ୍କୁ ‘ଅନ୍‌ଲାଇନ୍‌ ରାପିଡ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟ୍‌’ ‘ଏୟାର୍‌ଥିଙ୍ଗ୍ସ୍‌ ମାଷ୍ଟର୍ସ’‌ର ଅଷ୍ଟମ ରାଉଣ୍ଡ୍‌ରେ ଭାରତର ତରୁଣ ଗ୍ରାଣ୍ଡ୍‌ମାଷ୍ଟର୍‌ ଆର୍‌. ପ୍ରଜ୍ଞାନନନ୍ଦା ଚକିତ କରିଦେଇଛନ୍ତି। ଆଜି ସକାଳେ ଅନୁଷ୍ଠିତ ‘ଟାରାସ୍‌ ଭେରିଏସନ୍‌ ଗେମ୍‌’ର ୩୯ଶ ପର୍ଯ୍ୟାୟରେ କ୍ରମାଗତ ୩ ଥର ବିଜୟ ହାସଲ କରିଥିବା କାର୍ଲସେନ୍‌ଙ୍କୁ ବାଧାଦେଇ ଦ୍ବିତୀୟ ଖେଳାଳି ପ୍ରଜ୍ଞାନନନ୍ଦା ବିଜୟୀ ହୋଇଥିଲେ। ୮ଟି ପର୍ଯ୍ୟାୟରେ ୮ ପଏଣ୍ଟ୍‌ ହାସଲ କରିଥିବା ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର୍‌ ଆର୍‌. ପ୍ରଜ୍ଞାନନନ୍ଦା ଯୁଗ୍ମଭାବେ ବିଶ୍ବର ୧୨ଶ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

କାର୍ଲସେନ୍‌ଙ୍କୁ ପରାସ୍ତ କରିବା ପୂର୍ବରୁ ବିଗତ ପର୍ଯ୍ୟାୟରେ ପ୍ରଜ୍ଞାନନନ୍ଦା ଲିଓ ଆରୋନିଆନ୍‌ଙ୍କୁ ପରାସ୍ତ କରିଥିଲେ। ତା’ପୂର୍ବରୁ ତାଙ୍କର ଦୁଇଟି ଖେଳ ଅମିମାଂସୀତ ଥିଲା ଏବଂ ଆଉ ୪ଟି ଖେଳରେ ସେ ପରାସ୍ତ ‌ହୋଇଥିଲେ।  ଉଲ୍ଲେଖଯୋଗ୍ୟ, ଚେସ୍‌ ପ୍ରତିଭା ଆର୍. ପ୍ରଜ୍ଞାନନନ୍ଦା ୨୦୧୩ରେ ‘ୱାର୍ଲଡ୍‌ ୟୋଥ୍‌ ଚେସ୍‌ ଚାମ୍ପିୟନ୍‌ସିପ୍‌ସ୍‌ ଅଣ୍ଡର୍‌-୮’ରେ ବିଜୟୀ ହୋଇ ୭ ବର୍ଷ ବୟସରେ ‘ଏଫ୍‌ଆଇଡିଇ ମାଷ୍ଟର୍‌ ଟାଇଟଲ୍‌’ ହାସଲ କରିଥିଲେ। ୨୦୧୫ରେ ମଧ୍ୟ ସେ ୧୦ ବର୍ଷରୁ କମ୍‌ ଖେଳାଳିଙ୍କ ମଧ୍ୟରେ ବିଜୟୀ ହୋଇଥିଲେ। ୨୦୧୬ରେ ୧୦ ବର୍ଷ, ୧୦ ମାସ ଏବଂ ୧୯ ଦିନର ଆର୍. ପ୍ରଜ୍ଞାନନନ୍ଦା ଚେସ୍‌ ଇତିହାସରେ ସର୍ବକନିଷ୍ଠ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମାଷ୍ଟର୍‌’ ଆଖ୍ୟା ଅର୍ଜନ କରିଥିଲେ।