ସୋନାଲିଙ୍କୁ ଗିରଫ କରାଯାଉ, ସୌମ୍ୟଙ୍କୁ ନ୍ୟାୟ ମିଳୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନନ୍ଦନବିହାରର ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ୨୨ ଦିନ ବିତିସାରିଲାଣି । ସୌମ୍ୟ ଓ ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ଏକାଧିକ ଅଡିଓ କଲ୍ ପୂର୍ବରୁ ଭାଇରାଲ୍ ହୋଇଥିଲା । ସୌମ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ସୁଇସାଇଡ୍ ନୋଟରେ ସୋନାଲିଙ୍କ ନାମ ଉଲ୍ଲେଖ କରିଥିଲେ ।

ସମସ୍ତ ପ୍ରମାଣ ଥାଇ ବି ପୋଲିସ ସୋନାଲି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହିଁ । ତେଣୁ ଆଜି ସୌମ୍ୟଙ୍କ ପରିବାର ସୋନାଲିଙ୍କୁ ଗିରଫ ଓ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ।