ଟୋକିଓ ଅଲିମ୍ପିକ୍ସରେ ୭ଟି ପଦକ ସହିତ ଭାରତ ଅଭିଯାନ ଶେଷ କରିଛି

ନୂଆଦିଲ୍ଳୀ,(ଏସ୍ ନ୍ୟୁଜ୍): ଟୋକିଓରେ ଦୁଇ ସପ୍ତାହ ଧରି ଚାଥିବା ବିଶ୍ୱର ଅଲିମ୍ପିକ୍ସ ଖେଳ ଉଦଯାପିତ ହୋଇଛି । ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟମାନେ । ଦେଶକୁ ଆଣିଛନ୍ତି ଗୌରବ । ଏହା ସହିତ ଲଣ୍ଡନ ଅଲିମ୍ପିକ୍ସରେ ରହିଥିବା ୬ ପଦକର ରେକର୍ଡକୁ ମଧ୍ୟ ଭାଙ୍ଗିବାରେ ସମର୍ଥ ହୋଇଛି ଭାରତ । ସଫଳ ହୋଇଛି ଭାରତର ଅଭିଯାନ ।

୭ଟି ପଦକ ସହିତ ଭାରତ ୪୮ ତମ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି । ଯୁକ୍ତରାଷ୍ଟ୍ର ଆମେରିକା୩୯ ସ୍ୱର୍ଣ୍ଣ ସହିତ ୧୧୩ ପଦକ ହାସଲ କରିଥ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ୍ ୩୮ ସ୍ୱର୍ଣ୍ଣ ସହିତ ଦ୍ୱିତୀୟ ଏବଂ ଆୟୋଜକ ଜାପାନ ୨୭ ସ୍ୱର୍ଣ୍ଣ ସହିତ ତୃତୀୟ ସ୍ଥାନରେ ରହିଛି ।
୧୨୧ ବର୍ଷ ଧରି ଆଥଲେଟିକ୍ସରେ ପଦକ ହାସଲ କରିନଥିବା ଭାରତର ଅପେକ୍ଷାକୁ ଶେଷ କରିଛନ୍ତି ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ନୀରଜ ଆଥଲେଟିକ୍ସରେ ଭାରତକୁ ଏହାର ପ୍ରଥମ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିବା ବେଳେ ପ୍ରଥମ ଭାରତୀୟ ମହିଳା ଭାବରେ ଦୁଇଟି ଅଲିମ୍ପିକ୍ସ ପଦକ ହାସଲରେ ସମର୍ଥ ହୋଇଛନ୍ତି ପିଭି ସିନ୍ଧୁ । ଚଳିତ ଅଲିମ୍ପିକ୍ସରେ ଭାରତ ଏହାର ସବୁଠାରୁ ବୃହତର ଦଳ ପଠାଇଥିଲା । ୧୨୪ ଜଣ ଖେଳାଳି ବିଭିନ୍ନ ବର୍ଗରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଅନ୍ୟପକ୍ଷରେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପାଇଁ ଭାରତ ୮୩ ଜଣିଆ ଦଳ ପଠାଇଥିଲା । ଲଣ୍ଡନରେ ଭାରତୀୟ ଖେଳାଳି ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ହାସଲ କରିଥିବା ବେଳେ ଚଳିତ ଥରରେ ଏହା ସହିତ ଆଉ ଏକ ସ୍ୱର୍ଣ୍ଣ ଯୋଡିଛି ଭାରତ ।