ଆଇପିଏଲ ୨୦୨୦: ଆଜି କୋହଲି-ୱାର୍ଣ୍ଣର ଲଢ଼େଇ

ଦୁବାଇ: ଆରମ୍ଭ ହୋଇଯାଇଛି ବହୁ ଚର୍ଚ୍ଚିତ ଆଇପିଏଲ ଟି ଟ୍ୱେଣ୍ଟି ଲିଗ୍। ଆଜି ଦୁବାଇ ଠାରେ ଖେଳାଯିବ ଚଳିତ ସଂସ୍କରଣର ତୃତୀୟ ମ୍ୟାଚ୍। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଓ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ଏହି ମୁକାବିଲା ଦେଖିବାକୁ ମିଳିବ। ଏହାକୁ ନେଇ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଉଭୟ ଟିମର ପ୍ରଶଂସକ।

ଥରେ ଆଇପିଏଲ ଟି ଟ୍ୱେଣ୍ଟି ଟାଇଟଲ ଜିତି ସାରିଥିବା ଏସଆରଏଚ ଦଳର ଅଧିନାୟକତ୍ୱ ଭାର ପୁଣି ଥରେ ଡେଭିଡ଼୍ ୱାର୍ଣ୍ଣରଙ୍କ କାନ୍ଧରେ। ଅନ୍ୟପଟେ କେବେ ଟ୍ରଫି ଜିତିନଥିବା ଆରସିବିକୁ ଏଥର ବିଜୟୀ କରାଇବାକୁ ମୈଦାନକୁ ଓହ୍ଲାଇବେ ଅଧିନାୟକ ବିରାଟ କୋହଲି। ପୁରା ସିଜିନରେ ଟିମର ମନୋବଳ ଦୃଢ଼ ରଖିବାକୁ ପ୍ରଥମ ମ୍ୟାଚ୍ ଜିତିବା ନେଇ ଉଭୟ ଟିମ୍ ବଳ କଷିବେ। ଏ ଦୃଷ୍ଟିରୁ ମ୍ୟାଚଟି ବେଶ ରୋମାଞ୍ଚକର ହେବାକୁ ଯାଉଛି। ସନ୍ଧ୍ୟା ୭.୩୦ରେ ଦୁବାଇ ଠାରୁ ଏହାର ସିଧାପ୍ରସାରଣ ଅନୁଷ୍ଠିତ ହେବ।

ଜନି ବେୟାରଷ୍ଟୋ, କେନ୍ ୱିଲିୟମସନ, ଭୁବନେଶ୍ୱର କୁମାର, ମହମ୍ମଦ ନବୀ, ରସିଦ ଖାନଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ସାଙ୍ଗରେ ଧରି ମୈଦାନକୁ ଓହ୍ଲାଇବେ ଏସଆରଏଚ ଅଧିନାୟକ ୱାର୍ଣ୍ଣର। ଏପଟେ ଏବି ଡିଭିଲିୟର୍ସ, ମୋଇନ ଅଲ୍ଲୀ, ପାର୍ଥିବ ପଟେଲ, ଯୁଜଭେନ୍ଦ୍ର ଚହଲ ଓ ନଭଦୀପ ସୈନିଙ୍କ ପରି ଯୁବ ଏବଂ ଅଭିଜ୍ଞଙ୍କ ମିଳିତ ଟିମ ସହ ପ୍ରସ୍ତୁତ ହୋଇ ରହିଛନ୍ତି ଆରସିବି ଅଧିନାୟକ କୋହଲି।

ସୂଚନାଯୋଗ୍ୟ, ଶନିବାର ଓ ରବିବାର ଖେଳାଯାଇଥିବା ମ୍ୟାଚରେ ଯଥାକ୍ରମେ ଚେନ୍ନାଇ ସୁପର କିଙ୍ଗ୍ସ ମୁମାଇ ଇଣ୍ଡିଆନ୍ସକୁ ହରାଇ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ହରାଇ ବିଜୟୀ ହୋଇଛନ୍ତି। ଗତକାଲିର ମ୍ୟାଚରେ ସୁପର ଓଭର ଦେଖିବାକୁ ମିଳିଥିଲା।