୩୧ ମାର୍ଚ୍ଚରୁ ଆଇପିଏଲ୍‌ ୨୦୨୩ ମୁକାବିଲା ଶୁଭାରମ୍ଭ

ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେ ଗୁଜରାଟ-ଚେନ୍ନାଇ….

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ) ଷୋଡ଼ଶ ସଂସ୍କରଣ ବିଗୁଲ ବାଜିଛି । ମାର୍ଚ୍ଚ ୩୧ ତାରିଖରେ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୨୦୨୨ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ହେବ । ମେ’ ୨୮ ତାରିଖରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ ।

ସୂଚନା ମୁତାବକ ଟୁର୍ଣ୍ଣାମେଂଟରେ ପ୍ରାୟ ୧୮ଟି ଡବଲ୍‌ ଡେକର ହେବ ଅର୍ଥାତ୍‌ ଦିନକୁ ଦୁଇଟି ମ୍ୟାଚ୍‌ ଲେଖାଏଁ ୧୮ ଦିନ ଧରି ଅନୁଷ୍ଠିତ ହେବ । ନିୟମିତ ଭାବେ ପ୍ରଥମ ମ୍ୟାଚ୍‌ ଦିନ ସାଢେ଼ ତିନିଟାରୁ ଓ ଦ୍ୱିତୀୟ ମ୍ୟାଚ୍‌ଟି ସନ୍ଧ୍ୟା ସାଢେ଼ ୭ଟାରୁ ଆରମ୍ଭ ଖେଳାଯିବ । ମାର୍ଚ୍ଚ ୩୧ ତାରିଖରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଦିନକୁ ଦୁଇଟି ମୁକାବିଲା ହେବ ।

ଏପ୍ରିଲ ପହିଲାରେ ପଞ୍ଜାବ-କୋଲକାତା ମଧ୍ୟରେ ପ୍ରଥମ ମୁକାବିଲା ଓ ଲକ୍ଷେ୍ନø-ଦିଲ୍ଲୀ ମଧ୍ୟରେ ଦ୍ୱିତୀୟ ମୁକାବିଲା ଅନୁଷ୍ଠିତ ହେବ । ଏପ୍ରିଲ ୨ ତାରିଖରେ ସନ୍‌ରାଇଜର୍ସ-ରାଜସ୍ଥାନ ମଧ୍ୟରେ ପ୍ରଥମ ମୁକାବିଲା ଓ ବେଙ୍ଗାଲୁରୁ-ମୁମ୍ବାଇ ମଧ୍ୟରେ ଦ୍ୱିତୀୟ ମୁକାବିଲା ହେବ ।

ଏପ୍ରିଲ ୮ ତାରିଖରେ ଟୁର୍ଣ୍ଣାମେଂଟର ସର୍ବାଧିକ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଅନୁଷ୍ଠିତ ହେବ । ୫୮ ଦିନ ଧରି ଚାଲିବାକୁ ଥିବା ଟୁର୍ଣ୍ଣାମେଂଟର ୧୦ଟି ଟିମ୍‌ ପରସ୍ପରକୁ ୭୪ ବାର ଭେଟିବେ । ପ୍ରତି ଟିମ୍‌ ଘରୋଇ ମଇଦାନରେ ୭ଟି ଓ ପ୍ରତିପକ୍ଷ ମଇଦାନରେ ୭ଟି ହିସାବରେ ମୋଟ ୧୪ଟି ମ୍ୟାଚ୍‌ ଖେଳିବ ।

୧୦ଟି ଟିମ୍‌ ଭିତରେ ୭୦ଟି ଲିଗ୍‌ ଷ୍ଟେଜ ମୁକାବିଲା, ଲିଗ ଷ୍ଟେଜ୍‌ ପରେ ପଏଂଟସ ଟେବୁଲର ଟପ୍‌-୪ଟି ଟିମ ଭିତରେ ପ୍ଲେ ଅଫ୍‌ ଅନୁଷ୍ଠିତ ହେବ । ୧୨ଟି ଭିନ୍ନଭିନ୍ନ ସହରରେ ୭୪ଟି ମ୍ୟାଚ୍‌ ଖେଳାଯିବା ପାଇଁ ସ୍ଥିର ହୋଇଛି ।

ଆଇପିଏଲ ଅନ୍ତର୍ଭୁକ୍ତ ୧୦ଟି ଟିମ୍‌ ସେମାନଙ୍କ ଘରୋଇ ମଇଦାନ ଛଡ଼ା ଗୁଆହାଟୀ ଓ ଧର୍ମଶାଳାରେ ଖେଳିବେ । ଆଇପିଏଲର ୧୦ଟି ପ୍ରାଥମିକ ସହର ଭିତରେ ରହିଛି ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ବେଙ୍ଗାଲୁରୁ, ଲକ୍ଷେ୍ନø, ହାଇଦ୍ରାବାଦ, ଦିଲ୍ଲୀ, ମୋହାଲି ଓ କୋଲକାତା ।