ପ୍ରଧାନମନ୍ତ୍ରୀଙ୍କୁ ମହାକାଳେଶ୍ୱର ପୀଠରେ ରାତି କଟାଇବା ମନା

ମହାକାଳେଶ୍ୱର ପୀଠରେ ମହାଶିବରାତ୍ରୀ

ମହାକାଳେଶ୍ୱର ପୀଠ ନିକଟରେ ବହିଯାଉଛି ପୂଣ୍ୟତୋୟା କ୍ଷୀପ୍ରା ଅବା ସିପ୍ରା ନଦୀ….

ମହାଶିବରାତ୍ରୀ ଦିନ ଭଗବାନ ମହାଦେବଙ୍କ କୃପାଲାଭ ଫଳରେ ଜୀବନର ସବୁ ସମସ୍ୟା ଅଚିରେ ଦୂର ହୋଇଯାଏ । ପ୍ରତିବର୍ଷ ଫଗୁଣ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରୀ ପଡ଼ିଥାଏ । ଚଳିତ ଫେବୃଆରୀ ୧୮ ତାରିଖ ଦିନ ସାରା ଭାରତ ପବିତ୍ର ଶିବରାତ୍ରୀ ପାଳନ କରିବ ।

ଭାରତର ୧୨ଟି ଜ୍ୟୋତିର୍ଲିଙ୍ଗ ପୀଠରେ ବଡ଼ ଧୁମଧାମରେ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଏ । ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଉଜ୍ଜୟିନୀର ମହାକାଳେଶ୍ୱର ଏକ ରହସ୍ୟମୟ ପୀଠ । ଉଜ୍ଜୟିନୀକୁ ପୂଣ୍ୟଭୂମି କୁହାଯାଏ । ପ୍ରତିଦିନ ହଜାର ହଜାର ସାଧୁସନ୍ଥ, ଋଷି ବ୍ରାହ୍ମଣ ମହାକାଳେଶ୍ୱର ପୀଠକୁ ଆସି ଜପତପ କରନ୍ତି ।

ପ୍ରତି ୧୨ ବର୍ଷରେ ଏହି ପୀଠରେ ସିଂହସ୍ଥ ମହାକୁମ୍ଭ ମେଳା ଆୟୋଜନ କରାଯାଏ । ମହାକାଳେଶ୍ୱର ପୀଠ ନିକଟରେ ବହିଯାଉଛି ପୂଣ୍ୟତୋୟା କ୍ଷୀପ୍ରା ଅବା ସିପ୍ରା ନଦୀ । ନଦୀକୂଳରେ ରହିଛି ଓଖର ମଶାଣି । କୁହାଯାଏ ଉକ୍ତ ମଶାଣିରେ ମହାପ୍ରଭୁ ମହାଦେବ ବାସ କରୁଛନ୍ତି । ଉଜ୍ଜୟିନୀର ପୁରାତନ ନାମ ଅବନ୍ତିକା, କନକଶ୍ରଙ୍ଗା ।

ରାଜା ବିକ୍ରମାଦିତ୍ୟ ଉଜ୍ଜୟିନୀର ରାଜା ଥିଲେ । ତାଙ୍କ ପୂର୍ବରୁ ଉଜ୍ଜୟିନୀରେ ଏକ ପ୍ରଥା ଚଳିଆସୁଥିଲା ଯେ ଉଜ୍ଜୟିନୀର ରାଜା ଯିଏ ହେବ, ତା’ର ଅକାଳ ମୃତ୍ୟୁ ହେବ । ବିକ୍ରମାଦିତ୍ୟ ଉକ୍ତ ପ୍ରଥାକୁ ଭଙ୍ଗ କରିଥିଲେ । ବିକ୍ରମାଦିତ୍ୟ ଆଉ ଏକ ପ୍ରଥା ପ୍ରଚଳନ କଲେ; ତାହା ହେଉଛି ତାଙ୍କ ପରଲୋକ ପରେ ସିଂହାସନ ଖାଲି ପଡ଼ିଲେ ମଧ୍ୟ ତାଙ୍କରି ନାମରେ ଶାସନ ଚାଲିବ ।

ସେହିଦିନଠାରୁ ଉକ୍ତ ପ୍ରଥାକୁ ପାଳନ କରାଯାଉଛି । ପ୍ରକୃତ କଥା ହେଉଛି ପ୍ରଭୁ ମହାକାଳ ହିଁ ଉଜ୍ଜୟିନୀର ଅଧିପତି । ମାନ୍ୟତା ଅଛି, କୌଣସି ରାଜା, ଲୋକପ୍ରତିନିଧି, ମୁଖ୍ୟମନ୍ତ୍ରୀ ଅବା ପ୍ରଧାନମନ୍ତ୍ରୀ ଉଜ୍ଜୟିନୀରେ ରାତି କଟାଇବାର ଦୁଃସାହସ କରନ୍ତି, ତାଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ ।

ମହାକାଳଙ୍କଠାରୁ ବଡ଼ ଶାସକ କେହି ନୁହନ୍ତି । ଯୋଉଠି ସ୍ୱୟଂ ମହାକାଳ ରାଜା ରୂପରେ ବିଦ୍ୟମାନ । ସେଠାରେ ଆଉ କେହି ନିଜକୁ ରାଜା ବୋଲାଇ ପାରିବେନି । ମହାକାଳ ବିରାଜମାନ କରିବା ପରଠାରୁ ଆଉ କେହି ଉଜ୍ଜୟିନୀର ରାଜା ହୋଇନାହାନ୍ତି ।

ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗର ବୈଶିଷ୍ଟ୍ୟକୁ ବୈଜ୍ଞାନିକମାନେ ମଧ୍ୟ ସ୍ୱୀକାର କରିଛନ୍ତି । ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ନିୟନ୍ତ୍ରଣ କରିବା ଭଳି ଶକ୍ତି ମହାକାଳଙ୍କ ପୀଠରେ ରହିଛି ବୋଲି ବିଭିନ୍ନ ଦିଗରୁ ଅନୁଧ୍ୟାନ କରି ବୈଜ୍ଞାନିକ ମହଲ ମାନିଛନ୍ତି ।