କୋହଲିଙ୍କ ଉପରେ ଚାପ ପକାଇବା ଠିକ ନୁହେ

ବିରାଟ ଫର୍ମକୁ ଫେରିଲେ ସବୁ ଠିକ ହୋଇଯିବ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ଏବେ ଫର୍ମରେ ନାହାଁନ୍ତି । ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି । ତାଙ୍କୁ ଦଳର ୱେଷ୍ଟଇଣ୍ଡିଜ ଗସ୍ତରେ ବିଶ୍ରାମ ମଧ୍ୟ ଦିଆଯାଇଛି । ଏବେ କୋହଲିଙ୍କୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । କିଛି ଜଣ ମତ ଦେଉଛନ୍ତି ଯେ, ବିରାଟ ଜିମ୍ବାୱେ ଗସ୍ତରେ ଯାଇଥିଲେ ଭଲ ହୋଇଥାନ୍ତା । ଏହାଦ୍ୱାରା ସେ ଫର୍ମକୁ ଫେରି ପାରିଥାନ୍ତେ ବୋଲି ପୂର୍ବତନ ସିଲେକ୍ଟର ମତ ଦେଇଛନ୍ତି । ଏହାସହ କୋହଲିଙ୍କୁ ଅତ୍ୟଧିକ ଚାପ ଦେବା ଅନୁଚିତ ବୋଲି ସେ କହିଛନ୍ତି ।

କରୀମ କହିଛନ୍ତି ଯେ, ବିରାଟ ଟି୨୦ ବିଶ୍ୱକପ ପାଇଁ ଆବଶ୍ୟକ ନା ନାହିଁ ସେନେଇ ଟିମ ମ୍ୟାନେଜମେଣ୍ଟ ଚିନ୍ତା କରିବା ଦରକାର । ବେଳେ ବେଳେ ଦଳର ସଫଳତା ପାଇଁ ବିରାଟ ଦରକାର ବୋଲି ଲାଗୁଛି । ବିରାଟ ଫର୍ମକୁ ଫେରିଲେ ସବୁ ଠିକ ହୋଇଯିବ । ସେ ଆହୁରି କହିଛନ୍ତି ଯେ, ବିରାଟ ଚୟନକର୍ତ୍ତା ଓ କୋଚଙ୍କ ସହ କଥା ହୋଇ ଆଗକୁ ବଢିବା ଦରକାର । ସେ ବିରାଟଙ୍କ ଉପରେ କୌଣସି ଚାପ ପକାଇବାକୁ ଚାହାଁନ୍ତି ନାହିଁ । ତେବେ ଜିମ୍ବାୱେ ବିରୋଧରେ ଦିନିକିଆ ସିରିଜ ଖେଳିବେ ନା ନାହିଁ ତାହା କୋହଲିଙ୍କ ଉପରେ ନିର୍ଭର କରେ ।