ଦୁବାଇ: ଆଜି ଆଇପିଏଲ-୨୦୨୦ର ଷଷ୍ଠ ମ୍ୟାଚରେ ପରସ୍ପର ମୁହାଁମୁହିଁ ହୋଇଛନ୍ତି କିଙ୍ଗ୍ସ ଏକାଦଶ ପଞ୍ଜାବ(କେଏକ୍ସଆଇପି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ପ୍ରଥମେ ବ୍ୟାଟିଂ କରି କୋହଲି ସେନା ପାଇଁ ୨୦୬ ରନର ଟାର୍ଗେଟ ରଖିଛି ରାହୁଲ ବାହିନୀ।

ବଡ଼ କଥା ହେଲା ପଞ୍ଜାବ ଅଧିନାୟକ କେଏଲ ରାହୁଲ ଆଜି ଚଳିତ ଆଇପିଏଲର ପ୍ରଥମ ଶତକୀୟ ପାଳି ଖେଳିଛନ୍ତି। ମାତ୍ର ୬୯ ବଲରେ ସେ ୧୩୨* ରନର ବିସ୍ଫୋରକ ପାଳି ଖେଳିଛନ୍ତି। ଯେଉଁଥିରେ ରହିଛି ୭ ଛକା ଏବଂ ୧୪ ଚୌକା। ଆଶ୍ଚର୍ଯ୍ୟର କଥା ହେଉଛି ନିଜ ଜବରଦସ୍ତ ଫିଲ୍ଡିଂ ପାଇଁ ଜଣା ବିରାଟ କୋହଲି ଆଜି ରାହୁଲଙ୍କର ଦୁଇ ଦୁଇଟି ସହଜ କ୍ୟାଚ ଛାଡ଼ିଛନ୍ତି। ଯାହା ପ୍ରଶଂସକଙ୍କୁ ନିରାଶ କରିଛି। ରାହୁଲ ଦୁଇଥର ଜୀବନଦାନ ପାଇବାରୁ ପଞ୍ଜାବ ଏତେ ବଡ଼ ସ୍କୋର ଛିଡ଼ା କରିଛି। ଯାହାକୁ ମାତ୍ ଦେବା ବାଙ୍ଗାଲୋର ପକ୍ଷେ କାଠିକର ପାଠ ହେବ।
ଚଳିତ ସିଜିନର ପ୍ରଥମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିଥିଲା ପଞ୍ଜାବ। ଦୁର୍ଭାଗ୍ୟବଶତଃ ସୁପର ଓଭରରେ ଦଳ ହାରିଥିଲା। ଏଣୁ ଆଜିର ମ୍ୟାଚକୁ ଜିତିବା ପାଇଁ ପଞ୍ଜାବ ସମସ୍ତ ପ୍ରୟାସ କରିବ। ଅନ୍ୟପଟେ ପରାଜୟରୁ ପ୍ରାୟତଃ ସିଜିନ ଆରମ୍ଭ କରୁଥିବା ଆରସିବି ଏଥର ପ୍ରଥମ ମ୍ୟାଚ୍ ଜିତିଛି। ଆଜିର ମ୍ୟାଚରେ ମଧ୍ୟ ଜିତିବାକୁ ହେଲେ ଏବି ଡିଭିଲିୟର୍ସ, ଦେବଦୂତ ପାଡ଼ିକଲ ଏବଂ ବିରାଟଙ୍କୁ ଭଲ ପ୍ରଦର୍ଶନ ଦେବାକୁ ହେବ।