ଅଲିମ୍ପିକ କ୍ରୀଡ଼ା ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଲେ, ଭାରତର ଗୌରବକୁ ବିଶ୍ୱବାସୀଙ୍କ ନିକଟରେ ପରିଚିତ କଲେ ମଲ୍ଲଯୋଦ୍ଧା ସୁଶୀଲ କୁମାର । କିନ୍ତୁ ଏକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ହୋଇଯିବା ସୁଶୀଲ ତାଙ୍କର ବଂଶ ଗରିମାକୁ କଳଙ୍କିତ କରିଛନ୍ତି ।
ବୁଧବାର ଦିନ ସୁପ୍ରିମକୋର୍ଟ ସୁଶୀଲ କୁମାରଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ସୁଶୀଲଙ୍କୁ ଗୋଟିଏ ସପ୍ତାହ ଭିତରେ ଆତ୍ମ ସମର୍ପଣ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।
ଜୁନିୟର କୁସ୍ତିଯୋଦ୍ଧା ଚାମ୍ପିଅନ୍ ସାଗର ଧନକରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ସୁଶୀଲ କୁମାରଙ୍କୁ ୨୦୨୧ ମେ’ ମାସରେ ଗିରଫ କରା ଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀ ହାଇକୋର୍ଟରୁ ଜାମିନ ପାଇଥିଲେ ସୁଶୀଲ କୁମାର ।
ସୁଶୀଲ କୁମାରଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚାଲେଂଜ କରିଥିଲେ ମୃତକ ସାଗରଙ୍କ ବାପା ଅଶୋକ ଧନଖଡ଼ । ସୁପ୍ରିମକୋର୍ଟଙ୍କ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ୍ ସଂଜୟ କରୋଲଙ୍କ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ଆଦେଶକୁ ଅକାମୀ କରିଥିଲେ ।
ଖଣ୍ଡପୀଠ ଜାଣି ପାରିଚନ୍ତି, ୨୦୨୧ ମେ’ ମାସରେ ନୂଆଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମର ଯାନବାହନ ରହଣି ସ୍ଥଳରେ ସୁଶୀଲ କୁମାରଙ୍କ ମାଡ଼ରେ ସାଗର ଧନଖଡ଼ ଗୁରୁତର ଆହତ ହୋଇଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ମୁତାବକ ସାଗରଙ୍କ ମୁଣ୍ଡର ପଛଭାଗରେ ଶକ୍ତିଶାଳୀ ଆଘାତ ବାଜିବାରୁ ସେ ମରିଗଲେ । ସାଗରଙ୍କର ଦୁଇଜଣ ବନ୍ଧୁ ସୋନୁ ଓ ଅମିତ କୁମାର ମଧ୍ୟ ସୁଶୀଲଙ୍କ ମାଡ଼ରେ ଲହୁଲୁହାଣ ହୋଇଥିଲେ ।