ନୂଆଦିଲ୍ଲୀ : ଗୁଜୁରାଟ ଟାଇଟନ୍ସ ଦଳର ନବ ନିଯୁକ୍ତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫିଟନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ସହ ଜୋରଦାର ଅଭ୍ୟାସ କରୁଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବ ବର୍ଷ ଅନୁଷ୍ଠିତ ଟି-୨୦ବିଶ୍ୱକପ ପରେ ଆହତ ସମସ୍ୟା ପାଇଁ ଭାରତୀୟ ଟିମରୁ ବାଦ ପଡିଥିଲେ । ଏହା ପରଠୁ ତାଙ୍କୁ ଦଳରେ ସ୍ଥାନ ମିଳିନାହିଁ । ବିସିସିଆର ବାର୍ଷିକ ଚୁକ୍ତିବଦ୍ଧ ଖେଳାଳି ହୋଇଥିବାରୁ ଆଇପିଏଲ ପୂର୍ବରୁ ପାଣ୍ଡ୍ୟାଙ୍କୁ ଏନସିଏରେ ଫିଟନେସ ପରୀକ୍ଷା ଦେବାକୁ ନିର୍ଦ୍ଦେଶ ହୋଇଥିଲା । ଏନସିଏରେ ପାଣ୍ଡ୍ୟା ଦୀର୍ଘ ସମୟ ଧରି ବୋଲିଂ କରିଥିଲେ । ୟୋ ୟୋ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପାଇଁ ପାଣ୍ଡ୍ୟାଙ୍କୁ ପରିଶ୍ରମ କରିବାକୁ ପଡିଥିଲା । ଏହି ଟେଷ୍ଟରେ ସେ ୧୭ ପଏଣ୍ଟ ହାସଲ କରିଥିଲେ । ସୂଚନାଯୋଗ୍ୟ ଯେ, ଆଇପିଏଲ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିୟାନ୍ସ ତାଙ୍କୁ ଦଳରୁ ବାଦ ଦେଇଥିଲା । ନୂଆ କରି ଆଇପିଏଲରେ ଦଳରେ ସାମିଲ ହୋଇଥିବା ଗୁଜୁରାଟ ଟାଇଟନ୍ସ ମେଗା ନିଲାମରେ ପାଣ୍ଡ୍ୟାଙ୍କୁ କିଣି ଅଧିନାୟକ ନିଯୁକ୍ତ କରିଥିଲା । ତେବେ ଆଇପିଏଲରେ ଦଳ ପାଇଁ ପାଣ୍ଡ୍ୟାଙ୍କ ରଣନୀତି ସହ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।