ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ବିଜୟ ଶଙ୍କର ଖୁବଶୀଘ୍ର ହାତରୁ ଦି ହାତ ହେବାକୁ ଯାଉଛନ୍ତି। ଗୁରୁବାର ସେ ଆଙ୍ଗୁଠିରେ ନିର୍ବନ୍ଧ ମୁଦି ପିନ୍ଧିଛନ୍ତି।
ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ କରି ଏ ଶୁଭ ଖବର ବିଷୟରେ ସୂଚନା ଦେଇଛନ୍ତି ଶଙ୍କର। ସେ ଏଥିରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ନିଜେ ଓ ତାଙ୍କ ଭାବିପତ୍ନୀ ବୈଶାଳୀ ବିଶ୍ୱେସ୍ୱର୍ଣ୍ଣ ନଜର ଆସୁଛନ୍ତି। ଫଟୋ କ୍ୟାପ୍ସନରେ ରିଙ୍ଗ୍ (ମୁଦି)ର ଇମୋଜି ଦେଇଛନ୍ତି।
ଶଙ୍କରଙ୍କ ବାହାଘର କେବେ ହେବ ଏନେଇ ସେ କୌଣସି ସୂଚନା ଦେଇନଥିଲେ ହେଁ ନିର୍ବନ୍ଧ ଖବର ପ୍ରଘଟ ହେବାପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଭାରତୀୟ କ୍ରିକେଟ୍ ଟିମ୍ର ସାଥୀ ସଦସ୍ୟ କେ.ଏଲ୍ ରାହୁଲ, ୟୁଜଭେନ୍ଦ୍ର ଚହଲ ଓ ଶ୍ରେୟସ ଆୟରଙ୍କ ସହ କରୁଣ ନାୟର, ଅଭିନବ ମୁକୁନ୍ଦ, ଜୟନ୍ଦ ଯାଦବ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବିଜୟ ଶଙ୍କର ୨୦୧୯ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ। ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ର ୧୩ତମ ସଂସ୍କରଣରେ ବିଜୟ ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବେ।