ସୁଶାନ୍ତ ସମ୍ଭାଳିବେ ସଙ୍ଗଠନ, ଜିଲ୍ଲା ସଭାପତି ହେଲେ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜଧାନୀରେ ଉଭୟ ବିଜେଡ଼ି ଓ ବିଜେପି ପାଇଁ ସମାନ ସମସ୍ୟା ଥିଲା ଜିଲ୍ଳା ସଭାପତି ଚୟନକୁ ନେଇ। ଦୁଇ ଦଳର ଭୁବନେଶ୍ୱର ସଙ୍ଗଠନରେ ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଥିଲା। ବହୁ ବାଦ ବିବାଦ ଭିତରେ ବିଜେପି ପ୍ରଥମେ ନିଜ କଳି ସମାଧାନ କରିଥିବା ବେଳେ ଆଜି ବିଜେଡି ମଧ୍ୟ ଦଳୀୟ ଶୀତଳ ଯୁଦ୍ଧକୁ ବିରାମ ଦେଇଛି। ବିଧାୟକ ସୁଶାନ୍ତ ରାଉତ ହୋଇଛନ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି।

ଉତ୍ତର ଭୁବନେଶ୍ୱର ଆସନରୁ ବିଧାୟକ ଥିବା ସୁଶାନ୍ତ କିନ୍ତୁ ଏହି ଦୌଡ଼ରେ ନଥିଲେ। ଦୁଇ ବିଲେଇଙ୍କ ଲଢ଼େଇ ବେଳେ ତୃତୀୟ ବିଲେଇର ଲାଭ ନ୍ୟାୟରେ ତାଙ୍କୁ ପାଖରେ ସୁଯୋଗ ଆସି ପହଞ୍ଚିଛି। ଜିଲ୍ଲା ସଭାପତି ହେବା ଆଶାରେ ପ୍ରବଳ ଲବି ଚଳାଇଥିଲେ ବାଇଁଆ ଓରଫ ଅମରେଶ ଜେନା (ପୂର୍ବତନ କାର୍ଯ୍ୟକାରୀ ସଭାପତି) ଓ ଲିଟୁ ଓରଫ ବିରଞ୍ଚି ନାରାୟଣ ମହାସୁପକାର। ସଂଗ୍ରାମ ପାଇକରାୟ ମଧ୍ୟ ଏହି ପଦବୀ ଆଶାରେ ନିଜସ୍ୱ ଚେଷ୍ଟା ଜାରି ରଖିଥିଲେ। ହେଲେ ଆଜି ଉଭୟ ଅମରେଶ ଓ ସଂଗ୍ରାମଙ୍କୁ ଦଳର ଦଳର ରାଜ୍ୟ ସମ୍ପାଦକ ନିଯୁକ୍ତ କରି ଏକ ପ୍ରକାର ଜିଲ୍ଲା ସଭାପତି ରେସରୁ ଆଉଟ କରିଦେଲେ ମୁଖିଆ। ଲାଗୁଥିଲା ଲିଟୁ ଜିଲ୍ଲା ସଭାପତି ହେବେ। ହେଲେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୁଶାନ୍ତ ହେଲେ ସଭାପତି। ଲିଟୁଙ୍କୁ ମିଳିଲା କାର୍ଯ୍ୟକାରୀ ସଭାପତି ପଦ।

ପ୍ରଥମରୁ ସଭାପତି ଦୌଡରେ ଲିଟୁଙ୍କ ନାଁ ସର୍ବାଗ୍ରେ ଚର୍ଚ୍ଚା ହେଉଥିଲା। କାରଣ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦାୟିତ୍ୱରେ ଥିବା ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ଦଳର ସାଧାରଣ ସଂପାଦକ ପଦବୀ ମିଳିବା ପରେ କାହାକୁ ଜିଲ୍ଲା ସଭାପତି କରାଯିବ ସେନେଇ ଦଳରେ ବିଚାରବିମର୍ଶ ଆରମ୍ଭ ହୋଇଥିଲା। ଉପର ତିନି ଜଣଙ୍କ ସହ ବାବୁଲି ସମର୍ଥା, ସୁବାଶ ପାତ୍ରଙ୍କ ନାଁ ମଧ୍ୟ ଲିଷ୍ଟରେ ଚଢ଼ିଥିଲା। ଏପରିକି ବୁନୁ ଲିଟୁଙ୍କ ନାଁରେ ମୋହର ମାରିବାକୁ ଏକ ପ୍ରକାର ଜିଦ ଧରିଥିଲେ । ତେବେ ଲିଟୁ ଓ ବାଇଁଆଙ୍କୁ ନେଇ ଦଳରେ ତୁମ୍ବିତୋଫାନ ହେବାରୁ ତୃତୀୟ ବ୍ୟକ୍ତିଙ୍କ ଖୋଜା ପଡିଥିଲା । ଶେଷରେ ଏହି ଦୌଡରେ ବିଧାୟକ ସୁଶାନ୍ତ ରାଉତଙ୍କ ନାଁ ଯୋଡି ହୋଇଥିଲା। କେବଳ ବୁନୁଙ୍କୁ ସନ୍ତୁଷ୍ଟ କରିବା ଲାଗି ଦଳରେ ଲିଟୁଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିଥିବା ଚର୍ଚ୍ଚା ହେଉଛି ।