ଦେଶରେ ପୁଣି ବର୍ଷାର ତାଣ୍ଡବ
ପାହାଡ଼ିଆ ଅଞ୍ଚଳରେ ବର୍ଷା ଯୋଗୁଁ ଭୂସ୍ଖଳନ ଓ ହଠାତ୍ ବନ୍ୟା ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି…
(ସାକ୍ସୀ ନ୍ୟୁଜ୍): ଦେଶର ବିଭିନ୍ନ ରାଜ୍ୟରେ ପୁଣି ସକ୍ରିୟ ହୋଇଛି ମୌସୁମୀ ବର୍ଷା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଓ ପୂର୍ବ ଭାରତର ଅନେକ ଅଞ୍ଚଳ ପାଇଁ ପ୍ରବଳ ବର୍ଷାର ସତର୍କତା ଜାରି କରାଯାଇଛି । ସେପଟେ ପାହାଡ଼ିଆ ରାଜ୍ୟଗୁଡ଼ିକରେ ମଧ୍ୟ ପାଣିପାଗ ବିଗିଡ଼ିବା ଆଶଙ୍କା ରହିଛି । ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଏବଂ ଉତ୍ତରାଖଣ୍ଡରେ ଆସନ୍ତା କିଛି ଦିନ ଧରି ପ୍ରବଳ ବର୍ଷାର ଆଲର୍ଟ ଜାରି ରହିଛି । ପାହାଡ଼ିଆ ଅଞ୍ଚଳରେ ବର୍ଷା ଯୋଗୁଁ ଭୂସ୍ଖଳନ ଓ ହଠାତ୍ ବନ୍ୟା ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।
ବିହାରରେ ମଧ୍ୟ ପାଣିପାଗ ବିଭାଗ ଝଡ଼ବର୍ଷା, ବଜ୍ରପାତ ଓ ଘଡ଼ଘଡ଼ି ନେଇ ସତର୍କ କରିଛି । ଅଗଷ୍ଟ ୧୯ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ଏଭଳି ପାଣିପାଗ ଜାରି ରହିପାରେ ।ଅନ୍ୟପଟେ ଦିଲ୍ଲୀ-ଏନସିଆରରେ ଆଜି ଆକାଶ ମେଘୁଆ ରହିବା ସହ ସକାଳରୁ ଦ୍ୱିପ୍ରହର ମଧ୍ୟରେ ହାଲୁକା ବର୍ଷା ଏବଂ ସନ୍ଧ୍ୟାରୁ ରାତି ମଧ୍ୟରେ ପୁଣି ବର୍ଷା ହେବାର ପୂର୍ବାନୁମାନ ରହିଛି।
ଅର୍ଥାତ୍, ଗୋଟିଏ ପଟେ ପାହାଡ଼ିଆ ଅଞ୍ଚଳରେ ଭାରୀ ବର୍ଷା ଓ ଭୂସ୍ଖଳନର ଭୟ, ଅନ୍ୟପଟେ ପୂର୍ବ ଭାରତରେ ଲଘୁଚାପଜନିତ ବର୍ଷା । ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ସଜାଗ ରହିବା ସହ ଲୋକଙ୍କୁ ପାଣିପାଗ ବିଭାଗର ସତର୍କତା ମାନିବାକୁ ପରାମର୍ଶ ଦିଆଯାଇଛି ।