ଲଦାଖ ଅଞ୍ଚଳରେ ଭୂମିକମ୍ପ : ୩.୬ ତୀବ୍ରତାର ଭୂମିକମ୍ପ ରେକର୍ଡ

ଲଦାଖରେ ଅନୁଭୂତ ହେଲା ଭୂମିକମ୍ପ । ରିକ୍ଟର୍‌ ସ୍କେଲ୍‌ ରେ ଏହାର ତୀବ୍ରତା ୩.୬ ଥିବା ଜଣାପଡ଼ିଛି  । ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିବା ଅନୁସାରେ, ଭୋର୍‌ ୫.୧୧ ମିନିଟ୍‌ରେ ଏହି ଭୂମିକମ୍ପଜନିତ କମ୍ପନ ଅନୁଭୂତ ହୋଇଥିଲା। ୧୫ ଦିନ ମଧ୍ୟରେ ଲଦାଖ ଅଞ୍ଚଳରେ ଏହା ହେଉଛି ତୃତୀୟ ଭୂକମ୍ପନ। ଏଥିଯୋଗୁଁ କେହି ମୃତାହତ ହୋଇଥିବା କିଂବା କିଛି ଧନସମ୍ପତ୍ତି ନଷ୍ଟ ହୋଇଥିବାର ଖବର ଏପର୍ଯ୍ୟନ୍ତ ଆସିନାହିଁ।

ଫେବ୍ରୁଆରି ୧୭ରେ ସେଠାରେ ୩.୫ ତୀବ୍ରତାସମ୍ପନ୍ନ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାଛଡ଼ା ଫେବ୍ରୁଆରି ୧୩ ତାରିଖରେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ଏକ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବାରୁ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଏହି ଭୂକମ୍ପନ ଯୋଗୁଁ ଅନେକ ଘର ଫାଟି ଯାଇଥିବା ରିପୋର୍ଟ ଆସିଥିଲା । ଭୂମିକମ୍ପପ୍ରବଣ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଅତୀତରେ କଶ୍ମୀର ଉପତ୍ୟକାରେ ଭୂମିକମ୍ପଜନିତ ପ୍ରଭୂତ କ୍ଷୟକ୍ଷତି ହୋଇଛି ।