କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଖୋଲିବ ନୂଆ ଟିକେଟ୍ କାଉଣ୍ଟର୍‌

ଭୁବନେଶ୍ବର(ଏସ୍ ନ୍ୟୁଜ): କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭିଡ଼ କମାଇବା ପାଇଁ ଆଉ ଏକ ଟିକେଟ୍‌ କାଉଣ୍ଟର୍‌ ଖୋଲିବ। ଏହା ପ୍ରବେଶ ପଥ ନିକଟରେ ଥିବା ଏଟିଏମ୍ କାଉଣ୍ଟର୍‌ ସାମ୍ନାରେ ନିର୍ମାଣ ହେବ। ଏଥିପାଇଁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏବେ ୨୦ରୁ ଅଧିକ ବିଭାଗ ସହିତ ସୁପରସ୍ପେସିଆଲି‌ଷ୍ଟ ଓପିଡି ବା ବହିର୍ବିଭାଗ ସେବା ପ୍ରଦାନ କରାଯାଉଛି। ହେଲେ ଏସବୁ ସେବା ପାଇଁ ଗୋଟିଏ ଟିକେଟ୍ କେନ୍ଦ୍ର ରହିଛି। ସକାଳ ୮ଟାରୁ ଓପିଡି ଆରମ୍ଭ ହେଉଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ଲୋକମାନଙ୍କୁ ଟିକେଟ୍ ପାଇଁ ଲାଇନ୍ ଲଗାଇବାକୁ ପଡ଼ୁଛି। ଗୋଟିଏ ସ୍ଥାନରେ ବହୁ ସଂଖ୍ୟାରେ ରୋଗୀ ଟିକେଟ୍ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିବାରୁ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ରୋଗୀଙ୍କ ସମସ୍ୟାର ସମାଧାନ ସହିତ ତ୍ବରିତ ସେବା ଯୋଗାଇବା ଉଦ୍ଦେଶ୍ୟରେ ନୂଆ ଟିକେଟ୍ କାଉଣ୍ଟର ନିର୍ମାଣ କରାଯାଉଛି। ଏଠାରେ ମହିଳା, ପୁରୁଷ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ଏହାଛଡ଼ା ବିଶ୍ରାମ ପାଇଁ ସ୍ବତନ୍ତ୍ର ଭାବେ ଏକ କରିଡର୍‌ ନିର୍ମାଣ କରାଯିବ। ହସ୍ପିଟାଲ୍‌ ସୂତ୍ରରୁ ଜଣାପଡ଼ିଛି ଯେ ଖୁବ୍‌ଶୀଘ୍ର ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବା ସହ ଆସନ୍ତା ମାସ ସୁଦ୍ଧା ଏହି କାଉଣ୍ଟର୍‌ କାର୍ଯ୍ୟକ୍ଷମ ହେବ ।