କଳାପାଟ ସଂରକ୍ଷିତ ଜଙ୍ଗଲରେ ଲାଗିଲା ନିଆଁ,ଜନବସତି ମୁହାଁ ବନ୍ୟଜନ୍ତୁ

କେନ୍ଦୁଝର (ଏସ୍ ନ୍ୟୁଜ): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର କଳାପାଟ ଜଙ୍ଗଲରେ ପୁଣି ନିଆଁ ଲାଗିଛି । ତେଲକୋଇ ରେଞ୍ଜର କଳାପାଟ ସଂରକ୍ଷିତ ଜଙ୍ଗଲ ବିଭିନ୍ନ ସ୍ଥାନରେ ନିଆଁ ହୁତୁ ହୁତୁ ହୋଇ ଜଳୁଛି । ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନିଆଁ ବ୍ୟାପିବାରେ ଲାଗିଛି। ଦିନରାତି ସଂରକ୍ଷିତ ଜଙ୍ଗଲରେ ନିଆଁ ଜଳୁଛି।  

ମଙ୍ଗଳବାର ବିଳମ୍ବିତ ରାତିରେ ଖୁଣ୍ଟାପଡା ପଞ୍ଚାୟତ କୁଲାଡେରା ଗାଁ ନିକଟ ଗୋଠ ହୁଳି ଓ ପଥର ହୁଳିରେ ନିଆଁ ଲାଗିଛି। ହୁତୁ ହୁତୁ ହୋଇ ନିଆଁ ଜଳିବା ଫଳରେ ପୋଡି ଯାଉଛି ଶାଳ ପିଆଶାଳ ଜଙ୍ଗଲ । ଏହି ଜଙ୍ଗଲରେ ଥିବା ବାରହା, ସମ୍ବର, ହରିଣ, ମାଙ୍କଡ଼, ଠେକୁଆ ଭଳି ଅନେକ ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହେଉଛନ୍ତି । ଫଳରେ ସେମାନଙ୍କ ଜୀବନ ବିପଦ ପଡିବାର ଆଶଙ୍କା ଦେଖାଦେଇଛି । ଜଙ୍ଗଲରେ ନିଆଁ ଲିଭୁନଥିବାରୁ ବନ ବିଭାଗ ମଧ୍ୟ ଚିନ୍ତାରେ ପଡିଯାଇଛି । ତେଲକୋଇ ବନାଞ୍ଚଳର ଅନେକ ଜଙ୍ଗଲ ଏବେ ନିଆଁର ଆଁ ଭିତରେ ରହିଛି । ଅଧିକରୁ ଅଧିକ ଭୟଙ୍କର ହେଉଛି ବନାଗ୍ନି ଯାହାକୁ ନେଇ ଲୋକେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ନିଆଁକୁ ଆୟତ କରିବା ପାଇଁ ବନ କର୍ମଚାରୀ ଓ ବନ ସୁରକ୍ଷା ସମିତି ସଦସ୍ୟ ଉଭୟ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।