ନୋବେଲ୍ ପାଇଁ ଟ୍ରମ୍ପଙ୍କ ନାଁ ପଠାଗଲା

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ନୋବେଲ୍ ଶାନ୍ତି ପୁରସ୍କାର ୨୦୨୧ ଲାଗି ନାମାଙ୍କିତ ହୋଇଛି। ନରୱେର ଜଣେ ସାଂସଦ କ୍ରିଷ୍ଟିଆନ୍ ଟାଇବ୍ରିଙ୍ଗ ଜିଜେଡେ ଟ୍ରମ୍ପଙ୍କ ପାଇଁ ନାମାଙ୍କନ ଭରିଛନ୍ତି। ଇସ୍ରାଏଲ ଓ ୟୁଏଇ ଶାନ୍ତି ଚୁକ୍ତିରେ ପ୍ରମୁଖ ଭୁମିକା ତୁଲାଇଥିବାରୁ ଟ୍ରମ୍ପ ନୋବେଲ୍ ଶାନ୍ତି ପୁରସ୍କାର ପାଇବା ଲାଗି ହକଦାର ବୋଲି ସେ ଫକ୍ସ ନ୍ୟୁଜକୁ କହିଛନ୍ତି।

ନୋବେଲ୍ କମିଟିକୁ ପଠାଇଥିବା ପତ୍ରରେ ଟାଇବ୍ରିଙ୍ଗ ଜିଜେଡେ ଲେଖିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯୋଡ଼ିବା ଲାଗି ଟ୍ରମ୍ପ ପ୍ରଶାସନ ମୁଖ୍ୟ ଭୁମିକା ତୁଲାଇଛନ୍ତି। ଏହି ଚୁକ୍ତି ମଧ୍ୟପ୍ରାଚ୍ୟରେ ଅନ୍ୟ ଦେଶଙ୍କ ଉପରେ ପ୍ରଭାବ ପକାଇବ। ୟୁଏଇକୁ ସମସ୍ତେ ଅନୁସରଣ କରିଲେ ଅଞ୍ଚଳରେ ସହଯୋଗ ଓ ଶାନ୍ତି ବଜାୟ ରହିବ। ଚିଠିରେ ଉତ୍ତର କୋରିଆ ଦକ୍ଷିଣ କୋରିଆ ବିବାଦର ସମାଧାନ, କାଶ୍ମୀର ସମସ୍ୟାରେ ମଧ୍ୟସ୍ଥି ସାଜିବାକୁ ଟ୍ରମ୍ପ ଆଗ୍ରହ ପ୍ରକାଶ କରିବା କଥାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ନୋବେଲ୍ ଶାନ୍ତି ପୁରସ୍କାର ପାଇବା ନେଇ ଟ୍ରମ୍ପ ପୂର୍ବରୁ ଇଚ୍ଛା ପ୍ରକାଶ କରିସାରିଛନ୍ତି। ଏନେଇ ସେ ୨୦୧୯ରେ କହିଥିଲେ, ‘ସେମାନେ ଓବାମାଙ୍କୁ ଏହି ପୁରସ୍କାର ଦେଲେ। ସେ ନିଜେ ଜାଣିନାହାନ୍ତି କଣ ପାଇଁ ଏହା ତାଙ୍କୁ ମିଳିଲା। ୧୫ ସେକେଣ୍ଡ ପାଇଁ ସେ ଜାଗା ଉପରେ ଥିଲେ ଓ ତାଙ୍କୁ ନୋବେଲ୍ ମିଳିଗଲା। ସମ୍ଭବତ ମୁଁ ତାହା ପାଇବି ନାହିଁ’।