‘କଙ୍ଗନାଙ୍କ କୋଠା ଭାଙ୍ଗିବା ଠିକ ହେଲାନି’

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭଙ୍ଗାଯିବାକୁ ନାପସନ୍ଦ କରିଛନ୍ତି ଏନସିପି ନେତା ଶରଦ ପୱାର। ବିଏମସିର ଏଭଳି କାର୍ଯ୍ୟ ଯୋଗୁଁ କଙ୍ଗନାଙ୍କୁ ଅଯଥା ଟିଆରପି ଏବଂ ଲୋକଙ୍କୁ କହିବାକୁ ସୁଯୋଗ ମିଳିଲା ବୋଲି ସେ ମତ ରଖିଛନ୍ତି।

ୱାଇବି ଚହ୍ୱାଣ ସେଣ୍ଟରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ଏଭଳି ବିବୃତି ଦେଇଛନ୍ତି ପୱାର। ଯାହାକି ଉଦ୍ଧବ ଠାକରେ ସରକାର ପ୍ରତି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସେ କହିଛନ୍ତି ଯେ ଏଭଳି କଥା ସବୁକୁ ଗୁରୁତ୍ୱ ନ ଦିଆଯିବା ଉଚିତ୍। ରାଜ୍ୟ ପୋଲିସର ପ୍ରଦର୍ଶନ କଣ ଲୋକେ ଜାଣନ୍ତି। ଏସବୁ ମତାମତକୁ କେହି ଗୁରୁତର ସହକାରେ ନେଉନାହାନ୍ତି। ହେଲେ କୋଠା ଭଙ୍ଗାଯିବା ଦ୍ୱାରା କଙ୍ଗନାଙ୍କୁ ଅନାବଶ୍ୟକ ଲୋକପ୍ରିୟତା ମିଳିଲା। ଅନେକଙ୍କୁ କହିବା ପାଇଁ ସୁଯୋଗ ମିଳିଲା।

ସୂଚନାଯୋଗ୍ୟ, ଶିବସେନା ଅଧିନରେ ବିଏମସି (ବ୍ରିହାନମୁମ୍ବାଇ ମହାନଗର ନିଗମ) କାର୍ଯ୍ୟ କରୁଛି। ନିଗମର ଏଭଳି ପଦକ୍ଷେପକୁ ନାପସନ୍ଦ କରି ପୱାର କହିଛନ୍ତି ଯେ ମୁମ୍ବାଇରେ ବହୁ ବେଆଇନ ଅଟାଳିକା ରହିଛି। ସେସବୁ ପ୍ରତି ବିଏମସି ଧ୍ୟାନ ଦେଉ। କାହା କଥାକୁ ଧରି ପ୍ରତିକ୍ରିୟାଶୀଳ ନହେଉ।

ବର୍ତ୍ତମାନ ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସର ମେଣ୍ଟ ସରକାର ରହିଥିବା ବେଳେ ପୱାରଙ୍କ ମନ୍ତବ୍ୟ ଶିବସେନା ପ୍ରତି ବାଣ ସଦୃଶ ବିବେଚନା କରାଆଯାଉଛି। ଇତିମଧ୍ୟରେ ବମ୍ବେ ହାଇକୋର୍ଟ କଙ୍ଗନାଙ୍କ ‘ମଣିକର୍ଣ୍ଣିକା ଫିଲ୍ମ୍ସ’ କାର୍ଯ୍ୟାଳୟ ଭାଙ୍ଗିବା ଉପରେ ରହିତାଦେଶ ଜାରି କରିଛନ୍ତି। ତେବେ କୋର୍ଟଙ୍କ ନୋଟିସ ପୂର୍ବରୁ ନିଜ ଉଦ୍ଦେଶ୍ୟ ପୂର୍ଣ କରିବାରେ ସଫଳ ହୋଇଥିଲା ବିଏମସି। ଏହି ଘଟଣାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁ ନେଇ ଗର୍ବ ବେଶୀଦିନ ରହିବନି ବୋଲି କହିଛନ୍ତି କଙ୍ଗନା।