୧୩ ତାରିଖରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର(ଏସ୍ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଳଘୁଚାପ। ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ବର୍ତ୍ତମାନ ରାଜ୍ୟ ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇପଡ଼ିଛି। ତେବେ ଟ୍ରମ୍ଫ୍ ଲାଇନ ପୁଣିଥରେ ଉତ୍ତର ବଙ୍ଗୋପସାଗର ଆଡ଼କୁ ଅଗ୍ରସର ହୋଇଛି। ଏଥିଯୋଗୁଁ ୧୩ ତାରିଖରେ ଲଘୁଚାପ ସୃଷ୍ଟି ହେବାନେଇ ପୂର୍ବାନୁମାନ କରାଯାଇଛି। ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏହି ଲଘୁଚାପର ସ୍ପଷ୍ଟ ଚିତ୍ର ଓ ପ୍ରଭାବ ଜଣାପଡ଼ିବ ବୋଲି କହିଛି ପାଣିପାଗ ବିଭାଗ।

ଗୁରୁବାର ଅପରାହ୍ନ ସୁଦ୍ଧା ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡିଶାର ବହୁ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, କଟକ, ଜଗତସିିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ସମ୍ବଲପୁର, ସୋନପୁର, ବରଗଡ, ବୌଦ୍ଧ, କଳାହାଣ୍ଡି ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି ଶୁକ୍ରବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ସମେତ ମାଲକାନଗିରି, କୋରାପୁଟ ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି।