ଭୁବନେଶ୍ୱର,(ଏସ୍ ନ୍ୟୁଜ): ବଙ୍ଗୋପସାଗରରେ ଆସୁଥିବା ଘୂର୍ଣ୍ଣିବାତ୍ୟା ‘ୟାସ୍’କୁ ନେଇ ରାଜ୍ୟ ସରକାର ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାରେ ଯ଼େପରି ଜୀବନହାନୀ ନହୁଏ ତାହା ଉପରେ ସର୍ବାଧିକ ଗୁରୁତ୍ବ ମୁଖ୍ୟମନ୍ତ୍ରୀ ଦେଉଛନ୍ତି ବୋଲି ଏହି ବୈଠକ ପରେ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ।
ଉପକୂଳବର୍ତ୍ତୀ ଅଞ୍ଚଳରେ କଚ୍ଚା ଘରେ ରହୁଥି ସମସ୍ତ ଲୋକମାନଙ୍କୁ ସ୍ଥାନାନ୍ତରଣ, ଏହା ସହିତ ବାତ୍ୟା ଆଶ୍ରୟସ୍ଥଳୀରେ କୋଭିଡ ନିୟମ ପାଳନ କରି ଅଳ୍ପ ଅଳ୍ପ ଲୋକଙ୍କୁ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋଭିଡ ହସପିଟାଲଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ ଯ଼ୋଗାଣ, ପାନୀୟ ଜଳ ଯ଼ୋଗାଣ ଉପରେ ବୈଠକରେ ଗୁରୁତ୍ବ ଦିଆଯ଼ାଇଛି । ସେହିପରି କୋଭିଡ ହସପିଟାଲଗୁଡ଼ିକରେ ଅନ୍ୟସମସ୍ତ ଜରୁରୀ ସେବା ସହ ସାମଗ୍ରୀ, ଜେନେରେଟର ମଧ୍ୟ ମହଜୁଦ ରଖିବାକୁ କୁହାଯ଼ାଇଛି ।
ଉତର ଆଣ୍ଡାମାନ କ୍ଷେତ୍ରରେ ସୃଷ୍ଟ ଲଘୁଚାପ ଏବଂ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଶନିବାର ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ସରକାରୀସ୍ତରରେ ଆଲୋଚନା ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି । କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି । କୃଷକମାନେ ସେମାନଙ୍କ କୃଷି ଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ ବୋଲି ଅନୁରୋଧ କରାଯାଇଛି । ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନେଜ ସଫା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହିତ ଲୋକଙ୍କୁ ସ୍ଥାନାନ୍ତରିତ, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଅକ୍ସିଜେନ ଯୋଗାଉଥିବା ବିଭିନ୍ନ ସଂସ୍ଥା ମାନଙ୍କ ସହ ଆଲୋଚନା କରାଯାଇଛି । ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଜିଲ୍ଲା କୋଭିଡ କେୟାର ସେଂଟର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ର୍ନିେଶ ଦିଆଯାଇଛି । ଏହା ବାଦ ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ କୁହାଯାଇଛି । ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରସୂତି ମହିଳା ମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ନଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି ।
ବାତ୍ୟା ଆସିବା ପୂର୍ବରୁ ଆଶ୍ରୟ ସ୍ଥଳୀକୁ ଆସିବାକୁ ସମସ୍ତ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରାଯାଉଛି । ଆଶ୍ରୟ ସ୍ଥଳୀରେ ମାସ୍କ ଦେବା ସହ ଓ ରାପିଡ ରେସପନସ ଟିମ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯିବ । ସଂକ୍ରମିତ ଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପ୍ରସ୍ତୁତ ଥିବା ୧୭ଟି ଏନଡ଼ିଆରଫ,୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆସନ୍ତା କାଲି ବିଭିନ୍ନ ଜିଲ୍ଲାକୁ ପଠାଯିବ । ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯାଇଥିବା ସେ କହିଛନ୍ତି ।
ଅନ୍ୟପକ୍ଷରେ ଏସଆରସି କହିଛନ୍ତି ଯେ,ରାଜ୍ୟରୁ ଅକ୍ସିଜେନ ଯ଼ୋଗାଣ ଯ଼େପରି ବ୍ୟାହତ ନ ହେବ ସେଥିପାଇଁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିଜେ କହିଥିବା ସୂଚନା ଅଛି ।