ମହାନତାର ପରିଚୟ ଦେଇଛନ୍ତି କ୍ରିଷନ କୁମାର

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବରିଷ୍ଠ ଆଇଏଏସ ଅଫିସର ଡାକ୍ତର କ୍ରିଷନ କୁମାର ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ନିଜର ମହାନ ପରିଚୟ ଦେଇଛନ୍ତି । କରୋନା ମହାମାରୀ ସମୟରେ ନିଜ ଗାଡିରେ ଜଣେ ଆହତଙ୍କୁ ଉଦ୍ଧାର କରିବା ସହ ହସପିଟାଲରେ ଭର୍ତି କରିବା ପରେ କ୍ରିଷନ କୁମାରଙ୍କୁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟିବାରେ ଲାଗିଛି ।

ସୂଚନା ଅନୁଯାଇ, ଗୁରୁବାର ଅପରାହ୍ଣରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରଥ ନିର୍ମାଣ କାର୍ଯ୍ୟର ତଦାରଖ କରି ଭୁବନେଶ୍ୱର ଫେରୁଥିଲେ । ସେହି ସମୟରେ ପୁରୀ-ଭୁବନେଶ୍ୱର ରାଜପଥର ଉତରା ଛକ ତଥା ସିଫା ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଶୀକାର ହୋଇ ରାସ୍ତାରେ ପଡିଥିବା ଦେଖିଥିଲେ । ତୁରନ୍ତ କାଳବିଳମ୍ବ ନକରି ସେ ଡ୍ରାଇଭରକୁ ଗାଡି ରଖିବାକୁ କହିଥିଲେ । ପରେ ନିଜେ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲ ନେଇଥିଲେ । ସେଠାରେ ତାଙ୍କୁ ଭର୍ତି କରି ତୁରନ୍ତ ଚିକିତ୍ସା ଲାଗି ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ଚିକିତ୍ସା ବ୍ୟବସ୍ଥାର ତଦାରଖ କରି ଫେରି ଆସିଥିଲେ । ଏହା ଜଣାପଡିବା ପରେ କ୍ରିଷନ କୁମାରଙ୍କ ଏଭଳି କାର୍ଯ୍ୟକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।ଏହା ପରେ ମଧ୍ୟ ବିଭିନ୍ନ ମହଲରୁ କ୍ରିଷନ କୁମାରଙ୍କୁ ପ୍ରସଂଶାର ସୂଅ ଛୁଟିବାରେ ଲାଗିଛି ।