ହଟିଲା କଟକଣା, ଆସନ୍ତାକାଲି ଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆହୁରି କିଛି କଟକଣା କୋହଳ କରିଛନ୍ତି। କରୋନା ମାମଲା ହ୍ରାସ ପାଇବା ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଅନଲକ୍-୩ରେ କଟକଣାକୁ ଆହୁରି କୋହଳ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୋମବାର ଅର୍ଥାତ୍ ଆସନ୍ତାକାଲି ଠାରୁ ବଜାର, ମଲ୍ ଓ ମାର୍କେଟ୍ କମ୍ପ୍ଲେକ୍ସରେ ସବୁ ଦୋକାନ ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବାକୁ ଅନୁମତି ଦେଇଛନ୍ତି। ନୂଆ ମାର୍ଗଦର୍ଶିକା ଅନୁସାରେ, ସୋମବାର ଠାରୁ ଦୋକାନ ବଜାର ସବୁ ଯୁଗ୍ମ-ଅଯୁଗ୍ମ ନିର୍ବିଶେଷରେ ଖୋଲାଯାଇ ପାରିବ। ପୂରା ସାମର୍ଥ୍ୟର କେବଳ ୫୦% ଆସନ ପୂରଣ କରି ରେସ୍ତୋରାଁ ସବୁ ଖୋଲିପାରିବ। ଅନ୍ୟପକ୍ଷରେ ବ୍ୟକ୍ତିଗତ ଅଫିସ୍ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ୍ କହିଛନ୍ତି, ଏଭଳି ବ୍ୟବସ୍ଥା ଆମେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଦେଖିବୁ। ଯଦି ସଂକ୍ରମଣ ବଢ଼େ କଟକଣା କଠୋର କରାଯିବ, ନଚେତ ଏହି ବ୍ୟବସ୍ଥା ପର୍ଯ୍ୟାୟକ୍ରମେ ଚାଲୁ ରହିବ।
ସେହିଭଳି ଅତ୍ୟାବଶ୍ୟକ ସେବା ସହ ସଂଶ୍ଳୀଷ୍ଟ କାର୍ଯ୍ୟାଳୟ ସବୁ ବିନା କୌଣସି କଟକଣାରେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ। ସାପ୍ତାହିକ ହାଟ ବ୍ୟତୀତ ସମସ୍ତ ମଲ୍‌, ବଜାର ଓ ମାର୍କେଟ୍ କମ୍ପ୍ଲେକ୍ସ ପୂର୍ବାହ୍ନ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ଯାଇ ପାରିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ୍, କଲେଜ୍, ଶିକ୍ଷାକେନ୍ଦ୍ର ଓ କୋଚିଙ୍ଗ୍ ପ୍ରତିଷ୍ଠାନ ଆଦି ପୂର୍ବଭଳି ବନ୍ଦ ରହିବ। ଏହାଛଡ଼ା,ସାମାଜିକ, ରାଜନୀତିକ, ଖେଳକୁଦ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବ ସମାରୋହ ଉପରେ ରୋକ୍ ଜାରି ରହିବ। ସୁଇମିଂ ପୁଲ୍, କ୍ରୀଡ଼ା ପରିସର, ସିନେମା ହଲ୍, ମଲ୍ଟିପ୍ଲେକ୍ସ ମଧ୍ୟ ବନ୍ଦ ରହିବ। ତେବେ ୫୦ ପ୍ରତିଶତ କ୍ଷମତାରେ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିବ। ଏସବୁ କେବଳ ଗୋଟିଏ ସପ୍ତାହ ପାଇଁ ଲାଗୁ କରାଯାଇଛି। ଯଦି ଆଗକୁ ମାମଲା ପୁଣି ବଢ଼େ, ତାହେଲେ କଟକଣା ଲଗାଯିବ। ନଚେତ୍ ସ୍ଥିତି ଠିକଠାକ୍ ରହିଲେ, ଏହି ଅନଲକ୍ ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଅଛି ।