ରାଉରକେଲା : ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଫାଇନାଲ୍କୁ ଯାଇଥିବା ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଛି ସ୍ମାର୍ଟ ସିଟି ରାଉରକେଲା । ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଏକ ଅଭିନବ ପ୍ରକଳ୍ପ ଉପସ୍ଥାପନ କରି ସ୍ୱୀକୃତି ହାସଲ କରିଥିବାରୁ ରାଉରକେଲା ମହାନଗର ନିଗମ କମିସନର୍ ଦିବ୍ୟଜ୍ୟୋତି ପରିଡା ସହରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଚଳିତବର୍ଷ ୯୯ଟି ଦେଶ ଭାଗ ନେଇଥିଲେ । କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର, ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ, ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା । ଅଭିନବ ତଥା ଉଦ୍ଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲକୁ ଯାଇଛନ୍ତି । ମହାରାଷ୍ଟ୍ରର ପୁଣେ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି ।
ଏହି ପରିପେକ୍ଷୀରେ ରାଉରକେଲା ସହରକୁ ମିଳିଛି ସଫଳତା ।