ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଟିକାନୀତିକୁ ନେଇ ୩୮୦ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ସତ୍ୟପାଠରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଟିକା ଉପଲବ୍ଧ କରାଯିବାକୁ ନେଇ ତଥ୍ୟ ଉପସ୍ଥାପନ କରାଯାଇଛି । ଓଡ଼ିଶାକୁ ଜୁଲାଇ ମାସରେ ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ କୋଭିସିଲ୍ଡର ୩୩,୭୫,୭୩୦ ଡୋଜ୍ ଓ କୋଭାକ୍ସିନର ୬,୯୨,୧୫୦ ଡୋଜ୍ ଉପଲବ୍ଧ କରାଯିବ । ଏଥିମଧ୍ୟରୁ କୋଭିସିଲ୍ଡର ୨୫,୩୧,୮୦୦ ଡୋଜ୍ ସରକାରୀ ଟିକାକରଣ କେନ୍ଦ୍ରମାନଙ୍କରେ ଓ ୮,୪୩,୯୩୦ ଡୋଜ୍ ଘରୋଇ ଟିକାକରଣ କେନ୍ଦ୍ରମାନଙ୍କରେ ଉପଲବ୍ଧ କରାଯିବ । ସେହିପରି କୋଭାକ୍ସିନର ୫,୧୯,୧୧୦ ଡୋଜ୍ ସରକାରୀ କେନ୍ଦ୍ରରେ ଓ ୧,୭୩,୦୪୦ ଡୋଜ୍ ପ୍ରାଇଭେଟ କେନ୍ଦ୍ରମାନଙ୍କରେ ଉପଲବ୍ଧ କରାଯିବ । ସତ୍ୟପାଠରେ ରାଜ୍ୟରେ ସମୁଦାୟ ୩୪୭୪ କରୋନା ଟିକାକରଣ କେନ୍ଦ୍ର ଥିବା ଉଲ୍ଲେଖ କରାଯାଇଛି । କୋୱିନ ପୋର୍ଟାଲରୁ ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟର ଟିକାକରଣ କେନ୍ଦ୍ରମାନଙ୍କରେ ମେ ୧ରୁ ଜୁନ ୨୩ ପର୍ଯ୍ୟନ୍ତ ୬୭,୭୩,୦୨୦ ଡୋଜ୍ ଟିକା ଦିଆଯାଇଛି । ଏଥିମଧ୍ୟରୁ ୨,୧୦୨ ଗ୍ରାମୀଣ ଅଞ୍ଚଳରେ ଥିବା ଟିକାକରଣ କେନ୍ଦ୍ରରେ ୩୬,୪୭,୧୦୪ ଡୋଜ୍ ଓ ୯୦୫ ସହରାଞ୍ଚଳ ଟିକାକରଣ କେନ୍ଦ୍ରରେ ୨୭,୮୫,୪୩୯ ଡୋଜ୍ ଦିଆଯାଇଥିବା କୁହାଯାଇଛି । ଓଡ଼ିଶାର ୬୧ ପ୍ରତିଶତ ଗ୍ରାମୀଣ ଟିକାକରଣ କେନ୍ଦ୍ରରେ ୫୪ ପ୍ରତିଶତ ଡୋଜ୍ ଦିଆଯାଇଛି । ଷ୍ଟେଟୱାଇଜ କୋଲ୍ଡଚେନ ଇକ୍ୟୁପମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ ୧୭୯୩ ଆଇସ୍ ଲାଇନ୍ଡ ରେଫ୍ରିଜରେଟର, ୧୭୧୨ ଡିପ୍ ଫ୍ରିଜର ତଥା ୧୨୨୪ କୋଲ୍ଡ ଚେନ୍ ପଏଣ୍ଟସ ରହିଥିବା ସତ୍ୟପାଠରେ ଦର୍ଶାଯାଇଛି । ଟିକାନୀତି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ସତ୍ୟପାଠର ଜୁନ ୩୦ରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ସେହିପରି ରାଜ୍ୟରେ ଟିକାକରଣ ଜାରି ରହିଛି । ଜୁନ୍ ୨୧ରୁ ଦୈନିକ ହାରାହାରି ୩ ଲକ୍ଷ ଟିକାକରଣ ହେଉଛି । ଜୁନରେ ଓଡ଼ିଶା ୧୩ ଲକ୍ଷ ୭୮ ହଜାର ୩୧୦ ଡୋଜ୍ କୋଭିସିଲ୍ଡ ଟିକା ପାଇଥିବା ବେଳେ ଏହା ଜିଲ୍ଲାଗୁଡ଼ିକୁ ପଠାଇ ଦିଆଯାଇଛି । ଏବେ ରାଜ୍ୟ ପାଖରେ ମାତ୍ର ୩.୫ ଲକ୍ଷ କୋଭିସିଲ୍ଡ ଟିକା ଗଚ୍ଛିତ ରହିଛି । ଯାହାକି ମାତ୍ର ୨ ଦିନରେ ସରିଯିବ । ରାଜ୍ୟରେ ମଙ୍ଗଳବାର ପରେ ଆଉ କୋଭିସିଲ୍ଡ ଟିକା ବଳକା ରହିବ ନାହିଁ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ଜୁଲାଇ ମାସରେ କେନ୍ଦ୍ର ଓଡ଼ିଶାକୁ ୨୫.୩୧ ଲକ୍ଷ କୋଭିସିଲ୍ଡ ଟିକା ଦେବେ ।