ତୃତୀୟ ଲହରର ସମ୍ଭାବନା,ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ରୋକ୍‌

ନୂଆଦିଲ୍ଲୀ: ତୃତୀୟ ଲହରର ସମ୍ଭାବନାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଜୁଲାଇ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା ପ୍ରତିବନ୍ଧକୁ ବଢ଼ାଇ ଦେଇଛନ୍ତି । ଆଜି ଡିଜିସିଏ ଏହି ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ଜୁନ୍‌ ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍‌ ଲଗାଯାଇଥିଲା । ତେବେ ଏହି ଅବଧି ମଧ୍ୟରେ କିଛି ରୁଟରେ ବିମାନ ଚଳାଚଳ ଲାଗି ଅନୁମତି ରହିବ ବୋଲି ଜଣାପଡ଼ିଛି । ଡିଜିସିଏ ଜାରି କରିଥିବା ଗାଇଡ୍‌ ଲାଇନ୍‌ ଅନୁଯାୟୀ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି । କିନ୍ତୁ ମାଲ ପରିବହନ କରୁଥିବା ବିମାନ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।