ନୂଆଦିଲ୍ଲୀ : ବାହରିନରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି । ମଝି ଆକାଶରେ ବୈଷୟିକ ତ୍ରୁଟି ତଥା ସିଗନାଲ ପାଇବାରେ ସମସ୍ୟା ହେତୁ ବିମାନର ପାଇଲଟ ତୁରନ୍ତ ବିମାନଟିକୁ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଚାନକ ଅବତରଣ ଯୋଗୁଁ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ବାହରିନରୁ ଦିଲ୍ଲୀ ଯାଉଥିବା ବିମାନରେ୧୪୯ ଜଣ ଯାତ୍ରୀ ଥିଲେ । ସୂଚନା ଅନୁସାରେ ପାଇଲଟ୍ ଜାଣିବାକୁ ପାଇଥିଲେ ଯେ ବିମାନରେ କିଛି ବୈଷୟିକ ତ୍ରୁଟି ରହିଛି । ଏହାପରେ ପାଇଲଟ ଜଣଙ୍କ ତୁରନ୍ତ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରାଇଥିଲେ । ବିମାନର ଜରୁରୀ ଅବତରଣ ବିଷୟରେ ସୂଚନା ପାଇବା ମାତ୍ରେ ଗୋଟିଏ ରନୱେ ତୁରନ୍ତ କ୍ଲିୟର କରାଯାଇଥିଲା । ବିମାନବନ୍ଦର ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସକୁ ରନୱେ ନିକଟକୁ ପଠାଇଯାଇଥିଲା । ପାଇଲଟ୍ ବିମାନଟିକୁ ସୁରକ୍ଷିତ ଭାବରେ ରନୱେରେ ଅବତରଣ କରିଥିଲେ । ଏୟାର ଇଣ୍ଡିଆର ବିମାନ ନମ୍ବର ଏଆଇ-୯୪୦ରେ ସିଗନାଲ୍ ହାଇଡ୍ରୋଲିକ୍ ଫେଲ୍ ସମସ୍ୟା ଦେଖାଯାଇଥିଲା । ଏହି କାରଣରୁ ବିମାନଟି ସିଗନାଲ ପାଇପାରୁନଥିଲା ।