ଭୁବନେଶ୍ୱର, (ଏସ୍ ନ୍ୟୁଜ): ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତ୍ୟୁରେ ବ୍ରେକ ଲାଗୁନି । ଏନେଇ ଆଜି ଆସୁଛି କେନ୍ଦ୍ରୀୟ ଟିମ । ରାଜ୍ୟରେ କୋରୋନା ସ୍ଥିତି ନେଇ ଯାଞ୍ଚ କରିବ ଦଳ । ଓଡିଶା ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ୱ ନେଇଛନ୍ତି ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଏ.ଡାନ । ଓଡିଶା ସମେତ ୬ଟି ରାଜ୍ୟକୁ ଟିମ ପଠାଇଛି କେନ୍ଦ୍ର । ଓଡିଶା ସମେତ ସଂକ୍ରମଣ ଅଧିକ ଥିବା ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇଛନ୍ତି କେନ୍ଦ୍ର ସରକାର । ଏହି ଟିମ ଜଣେ ଚିକିତ୍ସକ ଓ ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞକୁ ନେଇ ଗଠନ କରାଯାଇଛି । ଏହି ଦୁଇଜଣିଆ ଟିମ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ କୋରୋନା ସଂକ୍ରମଣ ଉପରେ ଆଲୋଚନା କରିବେ । ପରବର୍ତ୍ତୀ ସମୟରେ କିଛି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଟିମ କୋରୋନା ଟେଷ୍ଟିଂ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାର୍ଯ୍ୟକାରିତା ଆଦିର ତଦାରଖ କରିବେ । ଓଡିଶା ସହିତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ ମଣିପୁର ଗସ୍ତ କରିବ ଟିମ୍ । ମଣିପୁରକୁ ଯାଉଥିବା ଟିମର ନେତୃତ୍ୱ ନେବେ ଡ. ଏଲ୍ ସ୍ ଆସ୍ତିକରନ୍, ଅରୁଣାଚଳ ପ୍ରଦେଶ ପାଇଁ ଡ. ସଞ୍ଜୟ ସାଧୁଖାନ୍, ତ୍ରିପୁରା ପାଇଁ ଡ. ଆର.ଏନ୍ ସିହ୍ନା, କେରଳ ପାଇଁ ଡ. ରୁଚି ଜେନା ଏବଂ ଛତିଶଗଡ ପାଇଁ ଡ.ଦିବ୍ୟାକର ସାହୁ ।