ଓଏସଏସଇଟି ଫର୍ମ ପୂରଣ ଅବଧି ବୃଦ୍ଧି

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଓଏସଏସଇଟି ପରୀକ୍ଷା ଲାଗି ଫର୍ମପୂରଣ ଅବଧିକୁ ଆସନ୍ତା ୧୩ ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀମାନେ ଅନଲାଇନ୍‌ରେ ୧୮ ତାରିଖ ସୁଦ୍ଧା ଫର୍ମପୂରଣ କରିପାରିବେ ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଚଳିତବର୍ଷ କୋଭିଡ୍‌ ଏବଂ ବିନା ପରୀକ୍ଷାର ମାଟ୍ରିକ୍‌ ମୂଲ୍ୟାୟନ ଆଦି କାର୍ଯ୍ୟ ଦୃଷ୍ଟିରୁ ଓଏସଏସଇଟି ପରୀକ୍ଷା ବିଳମ୍ବ ହୋଇଛି । ତେବେ ଉକ୍ତ ପରୀକ୍ଷା ଯଥାଶୀଘ୍ର ଶେଷ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଫର୍ମପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ଜୁଲାଇ ୩ରୁ ଅନଲାଇନରେ ଫର୍ମପୂରଣ ଆରମ୍ଭ ହୋଇଥିଲା । ଫର୍ମପୂରଣ ଦାଖଲର ଶେଷ ତାରିଖ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଫର୍ମପୂରଣ ସଂଖ୍ୟା ସନ୍ତୋଷଜନକ ହୋଇନଥିବାରୁ ଅଧିକ ପରୀକ୍ଷାର୍ଥୀଙ୍କୁ ସୁଯୋଗ ଦେବା ଲାଗି ସମୟ ସୀମାକୁ ୧୩ରୁ ୧୮ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଫର୍ମପୂରଣ ଶେଷହେବା ପରେ ପ୍ରୋଗ୍ରାମ୍‌ ବାବଦରେ ବିଜ୍ଞପ୍ତି ପ୍ରକାଶ ପାଇବ । ଓଏସଏସ୍‌ଇଟିରେ ମୋଟ ୧୫୦ ମାର୍କର ପରୀକ୍ଷା କରାଯିବ । ଓଏମଆର ସିଟ୍‌ରେ ହେଉଥିବା ପରୀକ୍ଷାରେ ଅନଲାଇନ୍‌ରେ ମାର୍କିଂ କରାଯିବ । କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛିି ।