ନୂଆଦିଲ୍ଲୀ : ଦେଶରେ କରୋନା କାଳରେ ଅନେକ ଲୋକ ଚାକିରୀ ହରାଇ ଘରେ ବସିଥିବା ବେଳେ ଆଉକିଛି ଗ୍ରାଜୁଏଟ ହେଉଥିବା ଯୁବକ-ଯୁବତୀ ସନ୍ଧାନରେ ଲାଗିଛନ୍ତି । ନା ବାହାରୁଛି ସରକାରୀ ପଦବୀ ନା ମିଳିପାରୁଛି ବେସରକାରୀ ଚାକିରୀ । ଏଥିପାଇଁ କିଛି ପରିବାର ଏବେ ଜୀବନ ଜିଇବା ପାଇଁ ସଂଘର୍ଷ କରୁଛନ୍ତି । ଏହାରି ଭିତରେ ଆମେରିକାର ଏକ ସୂଚନା ଓ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଭାରତରେ ୧ ଲକ୍ଷ ନୂଆ ନିଯୁକ୍ତି କରିବାକୁ ଘୋଷଣା କରିଛି । ଆମେରିକାର ଆଇଟି କମ୍ପାନୀ କଗ୍ନିଜାଣ୍ଟ ଏହାର ଦ୍ୱିତୀୟ କ୍ୱାର୍ଟରର ଲାଭରେ ୪୧.୮ ପ୍ରତିଶତ ବୃଦ୍ଧି କରିଛି । ଫଳରେ ଜୁନ୍ କ୍ୱାର୍ଟରରେ ଏହାର ମୋଟ ଲାଭ ୫୧୨ ମିଲିୟନ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ୩,୮୦୧.୭ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୧ ଆର୍ଥିକ ବର୍ଷରେ ଏହି କମ୍ପାନୀର ଗ୍ରୋଥ ରେଟ ୯ରୁ ୧୦ ପ୍ରତିଶତ ରହିଛି । ଏହା ଆଗକୁ ଆହୁରି ଅଧିକ ହେବ ବୋଲି କମ୍ପାନୀ ଲକ୍ଷ୍ୟ ରଖିଛି । ଏହି ସଫଳତା ପରେ କମ୍ପାନୀ ଭାରତରେ ବ୍ୟବସାୟିକ ସଂପ୍ରସାରଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଏଥିପାଇଁ କମ୍ପାନୀ ୧ ଲକ୍ଷ ନିଯୁକ୍ତି କରିବ । ଚଳିତବର୍ଷ କମ୍ପାନୀ ତରଫରୁ ୩୦ ହଜାର ନୂଆ ଗ୍ରାଜୁଏଟ ନିଯୁକ୍ତ ହେବାକୁ ଥିବା ବେଳେ ୨୦୨୨ରେ ୪୫ ହଜାରଙ୍କୁ ନିଯୁକ୍ତି କରାଯିବ ।