କଟକ, (ଏସ୍ ନ୍ୟୁଜ): ଆଡମିଟ୍ କାର୍ଡ ନପାଇ ମାଟ୍ରିକ୍ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ ଏବେ ଥାନାରେ ପହଞ୍ଚିଛନ୍ତି । ପରୀକ୍ଷାରୁ ବଞ୍ଚିତ ୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ଅଭିଭାବକ ଏନେଇ କଟକ ମାଲଗୋଦାମ ଥାନାରେ ଏତଲା ଦେଇଛନ୍ତି । ସେମାନଙ୍କ ପିଲାମାନେ ଯେଉଁ ଅଧିକାରୀ ବା କର୍ତ୍ତୃପକ୍ଷଙ୍କ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ସେ ବାବଦରେ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକମାନେ ଏତଲାରେ ନିବେଦନ କରିଛନ୍ତି । କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର ଅଧିନରେ ପରୀକ୍ଷା ଦେବାକୁ ଫର୍ମ ଫିଲଅପ୍ କରିଥିବା ୧୧ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ମିଳିନଥିଲା । ଫଳରେ ସେହି ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଦେଇପାରିନଥିଲେ । ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଟକ ବାଲୁବଜାର ସରସ୍ୱତୀ ଶିଶୁ ମନ୍ଦିର ଓ ଜଗତପୁର ନିମପୁର ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀମାନେ ରହିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଏହି ପିଲାମାନଙ୍କର ଫର୍ମ ଫିଲଅପ୍ କରାଇବାର କୌଣସି ତଥ୍ୟ ବୋର୍ଡକୁ ପଠାଇ ନଥିବା ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ସେପଟେ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର କର୍ତ୍ତୃପକ୍ଷ ନିଜ ଭୁଲ ସ୍ୱୀକାର କରିଥିଲେ ମଧ୍ୟ ୨୭ ତାରିଖରେ ଏ ବାବଦରେ ବୋର୍ଡକୁ ଅବଗତ କରିଥିଲେ ବୋଲି କହିଛନ୍ତି । ଏହାସହ ଲିଖିତ ଆକାରରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ବୋର୍ଡକୁ ଦେଇଥିବା କହିଛନ୍ତି । ତା ପରେ ବି ବୋର୍ଡ କର୍ତ୍ତୃପକ୍ଷ କାହିଁକି ପଦକ୍ଷେପ ନେଲେନି ବୋଲି ପ୍ରଶ୍ନ କରିଛନ୍ତି କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର କର୍ତ୍ତୃପକ୍ଷ । ସେପଟେ ଏଭଳି ଦାୟିତ୍ୱହୀନ ସ୍କୁଲର ପଞ୍ଜୀକରଣ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ।