ଗେମ ଖେଳି ବରବାଦ କଲେ ୪୦ ହଜାର, ମା’ ଗାଳି ଦେବାରୁ ଆତ୍ମହତ୍ୟା କଲେ

ଭୋପାଲ: ଅନଲାଇନ ଗେମ ଯୋଗୁ ଜଣେ ୧୩ ବର୍ଷୀୟ ବାଳକ ଆତ୍ମହତ୍ୟା କରିଛନ୍ତି । ସେ ଅନଲାଇନରେ ଗେମ ଖେଳି ୪୦ ହଜାର ଟଙ୍କା ହାରିଯାଇଥିଲେ । ଏହାକୁ ନେଇ ନାବାଳକଙ୍କୁ ତାଙ୍କ ମା’ ଗାଳି କରିବାରୁ ସେ ଆତ୍ମହତ୍ୟା କରିଛନ୍ତି । ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏପରି ଘଟଣା ଘଟିଛି ।
ଏଥିସହ ଏକ ସୁଇସାଇଡ ନୋଟ ମଧ୍ୟ ଜବତ ହୋଇଛି । ଏଥିରେ ନାବାଳକ ଜଣଙ୍କ ତାଙ୍କ ମା’ଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ବିନା ଅନୁମତିରେ ଉଠାଇ ଏହାକୁ ଫ୍ରି ଫାୟାର ଅନଲାଇନ ଗେମରେ ଖର୍ଚ୍ଚ କରିଥିବା କଥା ଉଲ୍ଲେଖ କରିଛନ୍ତି । ପୁଲିସ୍‌ ଏବେ ଗେମରେ ନାବାଳକ ଜଣଙ୍କ ନିଜ ଇଚ୍ଛାରେ ଟଙ୍କା ଖର୍ଚ୍ଚ କରିଥିଲେ ନା ତାଙ୍କୁ କେହି ଧମକ ଦେଇ ଏପରି କରିବାକୁ ବାଧ୍ୟ କରିଥିଲା, ତା’ର ତଦନ୍ତ ଆରମ୍ଭ କରିଛି ।